ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟ୍ରୁ ପଞ୍ଚାୟତ ପାହାଡ଼ ଉପରେ ଥିବା ବାରଗୁଡ଼ାର ଅଧିବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି। ଏହି ଗାଁରେ ରହୁଥିବା ୧୬ଟି ପରିବାରକୁ ପକ୍କା ଘର ସହିତ ଶୌଚାଳୟ, ପିଇବା ପାଣି, ସବୁଦିନିଆ ରାସ୍ତା ଭଳି ମୌଳିକ ସୁବିଧା ମିଳିପାରିଛି। ପ‌ାହାଡ଼ ତଳେ ଥିବା ଦିଆଲବାହାଲିଠାରେ ସେମାନଙ୍କୁ ଥଇଥାନ ପାଇଁ ଆବାସ ନଗର ଉଦ୍‌ଘାଟିତ ହୋଇଛି। ବୁଧବାର ଏହାକୁ ଉଦ୍‌ଘାଟନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୁର୍ଗାପ୍ରସାଦ ମହାରଣା, ସହ ନିର୍ଦେଶକ ଅମୂଲ୍ୟ ବେହେରା, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଫକିର ମୋହନ ମାଝୀ, ବିଡିଓ ଜିତେନ୍ଦ୍ର ମିଶ୍ର, କାନକୁଟ୍ରୁ ସରପଞ୍ଚ ସରସ୍ୱତୀ ମାଝୀ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋହର ହରପାଲ, କାନକୁଟ୍ରୁ ପଞ୍ଚାୟତ ଇଓ ଈଶ୍ୱର ସାହୁ।

ସୂଚନାଯୋଗ୍ୟ ଯେ, ବହୁ ବର୍ଷ ହେଲା ପାହାଡ଼ ଉପରେ ଦୁର୍ବିସହର ଜୀବନ ଜିଉଁଥିଲେ ଏହି ଷୋହଳଟି ଆଦିବାସୀ ପରିବାର। ମାଟି କୁଡ଼ିଆରେ ରହିବା ସହିତ ନାନାଦି ସମସ୍ୟାରେ ଘାଣ୍ଟି ହେଉଥିଲେ। ପାହାଡ଼ ଉପରୁ ତଳକୁ ଓହ୍ଲାଇଲେ ହିଁ ଯାହା ସେମାନେ ଦୁନିଆ ଦେଖୁଥିଲେ। ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟସେବା ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ସେମାନଙ୍କୁ ପାହାଡ଼ ତଳକୁ ଓହ୍ଲାଇ ଆଣି ସାମଗ୍ରିକ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଚାରିବର୍ଷ ତଳେ ଆଲୋଚନା ଆରମ୍ଭ ହୋଇଥିଲା। ବାରଗୁଡ଼ାବାସୀଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ବ୍ଲକ୍‌ ପ୍ରଶାସନ ଉଦ୍ୟମ କରିଥିଲା। ବିଡିଓ ଶ୍ରୀ ମିଶ୍ରଙ୍କ ପ୍ରଚେଷ୍ଟା ବଳରେ ଦିଆଲବାହାଲିଠାରେ ସେମାନଙ୍କୁ ଥଇଥାନ କରିବାର ପଥ ପରିଷ୍କାର ହୋଇପାରିଛି। ଆଦିବାସୀ ବହୁଳ ଲାଞ୍ଜିଗଡ଼ର ବିକାଶର କାହାଣୀ ବଖାଣିବାକୁ ମୁଣ୍ଡ ଟେକି ଠିଆହୋଇଛି ଆବାସ ନଗର। ନଗରର ପରିକଳ୍ପନା ଦୁର୍ଗମ ଅଞ୍ଚଳରେ କାଠିକର ପାଠ ଭଳି ଲାଗୁଥିଲେ ହେଁ ବିଡିଓଙ୍କ ଉଦ୍ୟମ ଫଳବତୀ ହୋଇଛି।

ମାତ୍ର ଶହେ ଦିନରେ ଏକାଧିକ କନିଷ୍ଠ ଯନ୍ତ୍ରୀ, ଛଅଜଣ ଟେକ୍ନିକାଲ କନ୍‌ସଲ୍‌ଟାଣ୍ଟ, , କାନକୁଟ୍ରୁ ସରପଞ୍ଚ, ନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌ଙ୍କ ସମେତ ଉପଦେଷ୍ଟା ପଞ୍ଚାୟତ ସମିତି ଅଧ୍ୟକ୍ଷ ଇଂ ମାଝୀଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପ୍ରଶାସନ ପାଇଁ ଆବାସ ନଗର ଏକ ଅନନ୍ୟ ସଫଳତା ହୋଇଥିବାରୁ ଏହା ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତି ଚାଲିଛି। ଯାହା ସମଗ୍ର ଦେଶ ପାଇଁ ଆବାସନଗର ନିର୍ମାଣ ଓ ସଫଳତାର କାହାଣୀ ବଖାଣିବ ବୋଲି କୁହାଯାଉଛି।

The post ସାକାର ହେଲା ପାହାଡ଼ ଉପର ବାସିନ୍ଦାଙ୍କ ସ୍ୱପ୍ନ, ଉଦ୍‌ଘାଟିତ ହେଲା ଦିଆଲବାହାଲି ଆବାସ ନଗର  first appeared on Sambad.

from ଜିଲ୍ଲା | Sambad https://ift.tt/35qaKzJ