ଉତ୍କେଲା/କେସିଙ୍ଗା : କୁହାଯାଏ ଦଇବ ଆଗରେ ମଣିଷ ଅସହାୟ। ଭାଗ୍ୟରେ ଯାହା ଲେଖାଥାଏ ନିଶ୍ଚିତ ଘଟେ। ହସଖୁସିରେ ନିଜ ବାହାଘର ପାଇଁ ପ୍ରସ୍ତୁତି କରୁଥିବା ଜଣେ ଅନାଥ ଯୁବକ ହଠାତ୍‌ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଗୋକୁଳେଶ୍ୱର ଗାଁରେ ଶନିବାର ଘଟିଥିବା ଏହି ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ପ୍ରକାଶ ଯେ ଗୋକୁଳେଶ୍ବର ଗାଁର ଲିମସାଏ ମାଝୀ (୨୮ବର୍ଷ) ଘରେ ଏକାକୀ ରହୁଥିଲେ। କିଛିବର୍ଷ ପୂର୍ବରୁ ତାଙ୍କ ବାପା ମା’ଙ୍କୁ ହରାଇ ସେ ଅନାଥ ହୋଇଯାଇଥିଲେ। କାମଧନ୍ଦା ଅ‌ନ୍ବେଷଣରେ ରାଜ୍ୟ ବାହାରକୁ ଯାଇ କିଛି ରୋଜଗାର କରି ଫେରିଥିଲେ। ଆଗକୁ ବାହା ହେବାର ଯୋଜନା କରି ନୂଆ ଘର ତିଆରି କରିଥିଲେ। ଘର ଫ୍ଲୋରିଂ କାମ ସରିଥିଲା। ଶୁକ୍ରବାର ରାତି ୯ଟାରେ ଉକ୍ତ ଘରେ ବିଦ୍ୟୁତ୍‌ ବଲ୍‌ବ ଲଗାଉଥିଲେ। ଏହି ସମୟରେ ହଠାତ୍‌ ବିଦ୍ୟୁତ୍‌ ଆଘାତ ପାଇଁ ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶନିବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ପ୍ରକାଶ କରିଛନ୍ତି।

The post ବିଦ୍ୟୁତ ଆଘାତରେ ଅନାଥ ଯୁବକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2TtwDvC