କବାଟବନ୍ଧ : କରୋନା ଲଢ଼େଇରେ ବିଜୟୀ ହୋଇ ୯୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେ ହେଲେ ଧର୍ମଶାଳା ବ୍ଲକ ଜେନାପୁର ପଞ୍ଚାୟତ ଦୁର୍ଗାମଣ୍ତପ ସାହିର ଗଣେଶ୍ବର ପଟ୍ଟନାୟକ। ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସଂପର୍କୀୟ ପୁତୁରା ରୂପେଶ ମହାନ୍ତି ତାଙ୍କୁ କଟକ ଲିଙ୍କ୍‌ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ବାହାରିବାରୁ ସେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ଅରାଜି ହୋଇଥିଲେ। ରୂପେଶ ଅନେକ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ମଧ୍ୟ ଗଣେଶ୍ବରଙ୍କ ବୟସାଧିକ୍ୟ କାରଣରୁ କେହି ରାଜି ହୋଇନଥିଲେ।

ପରେ କଟକ ମହାନଗର ନିଗମର କୋଭିଡ୍‌ କଣ୍ଟ୍ରୋଲ ରୁମକୁ ଯୋଗଯୋଗ କରିଥିଲେ। କଣ୍ଟ୍ରୋଲ ରୁମ୍‌ ଇନଚାର୍ଜ ଡ. ସ୍ମୃତିରଂଜନ ସାମଲଙ୍କ ସହଯୋଗରେ ଗଣେଶ୍ବରଙ୍କୁ ଜଗତପୁରସ୍ଥିତ ୟୁନିକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଗଣେଶ୍ବରଙ୍କ ଚିକିତ୍ସା ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ। ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହ ଗତ ୧୦ ତାରିଖରେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ସହ ଘରକୁ ଫେରିଛନ୍ତି। ସଫଳ କୋଭିଡ୍‌ ଚିକିତ୍ସା ପାଇଁ ସେ ସୁସ୍ଥ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି। ଗଣେଶ୍ବରଙ୍କ ପରିବାରର କେହି ନଥିବା ବେଳେ ସଂପର୍କୀୟ ପୁତୁରା ରୂପେଶ ତାଙ୍କର ଚିକିତ୍ସା କରାଇଥିଲେ।

The post କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ first appeared on Sambad.

from ଜିଲ୍ଲା | Sambad https://ift.tt/3xhtIV7