ଆମପାଣିରୁ ସିନାପାଲି ପର୍ଯ୍ୟନ୍ତ ୧୮୨ କୋଟି ଟଙ୍କାର ବ୍ୟୟ ଅଟକଳ
ଗୋଲାମୁଣ୍ଡାଠାରେ ଏମ୍ଏସ୍‌ଏମ୍‌ଇ ପାର୍କ ସ୍ଥାପନ ହେବ: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭବାନୀପାଟଣା : ବୁଧବାର ରାଜ୍ୟସରକାରଙ୍କ କ୍ୟାବିନେଟ ବୈଠକରେ ବିଜୁ ଏକ୍ସପ୍ରେସ ୱେ ପାଇଁ ଅନୁମୋଦନ ହେବା ଘଟଣା କଳାହାଣ୍ଡି ପାଇଁ ଖୁସିର ଖବର ଆଣିଛି। ଜିଲ୍ଲାର ୭୧ କିଲୋମିଟର ବିଜୁ ଏକ୍ସପ୍ରେସ୍‌ ୱେ ଆମପାଣିଠାରୁ ସିନାପାଲି ପର୍ଯ୍ୟନ୍ତ ୪ଲେନ ରାସ୍ତା ନିର୍ମାଣ ହେବ। ଏହି ରାସ୍ତା ଧର୍ମଗଡ଼ ଓ ଗୋଲାମୁଣ୍ଡା ଦେଇ ଯିବ। ଏଥିପାଇଁ ୧୮୨ କୋଟି ଟଙ୍କା ବ୍ୟୟ ବରାଦ ପାଇଁ କ୍ୟାବିନେଟରେ ଅନୁମୋଦନ ହୋଇଛି।

ବିଜୁ ଏକ୍ସପ୍ରେସ ନିର୍ମାଣ ଯୋଗୁଁ ଗମନା ଗମନ ମାନଚିତ୍ରରେ କଳାହାଣ୍ଡି ଏକ ପ୍ରମୁଖ ଅର୍ଥନୈତିକ କରି‌ଡର ପାଇଁ ବାଟ ଖୋଲିବ। ଗୋଲାମୁଣ୍ଡାଠାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ନିର୍ମାଣ କରାଯିବ ବୋଲି ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବୁଧବାର ସନ୍ଧ୍ୟାରେ ଭବାନୀପାଟଣା ସହରସ୍ଥିତ ହୋଟେଲ ଭାଗୀରଥି ଇନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗୋଲାମୁଣ୍ଡା ଠାରେ ଏମଏସଏମଇ ପାର୍କ ଟେକନିକାଲ ପାର୍କ ଭାବରେ ନିର୍ମାଣ କରାଯିବ। ଧର୍ମଗଡ଼ ଓ ଜୁନାଗଡ଼ରେ ଆଇଟିଆଇ ସ୍ଥାପନ ଦ୍ବାରା ଯୁବକମାନେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବାଟ ଫିଟିବ। ଇଡକୋ ପକ୍ଷରୁ ଏମ୍ଏସ୍‌ଏମ୍‌ଇ ପାର୍କ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। ୫୫୦ ଏକର ଅଧିଗ୍ରହଣ ମଧ୍ୟରୁ ୫୦୦ ଏକର ଅଧିଗ୍ରହଣ ହୋଇସାରିଛି। ଆଉ ଅନ୍ୟ ୫୦ ଏକର ପାଇଁ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାରେ ୧୦ଜଣ ଷ୍ଟାଟ ଅପ୍‌ ଇଣ୍ଡିଆରେ ନୂଆ ଶିଳ୍ପ ପାଇଁ ପଞ୍ଜୀକୃତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କୃଷିରେ ଏକ ନମ୍ବର ହୋଇଥିବା ବେଳେ ଶିଳ୍ପାୟନ ପାଇଁ ବାଟ ‌ଖୋଲୁଛି ବୋଲି ମନ୍ତ୍ରୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡ଼ି ଯୁବ ସଭାପତି ଆଦିତ୍ୟ ନନ୍ଦ, ପ୍ରବୋଧ ରଥ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମି ସଚିବ ପ୍ରବୋଧ ରଥ, କଳାହାଣ୍ଡି ନାଗରିକ କମିଟି ସଭାପତି ଧର୍ମେନ୍ଦ୍ର ନାଏକ, ଶିବ ପଟ୍ଟନାୟକ ଫାଉଣ୍ଡେସନ ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଯୁବନେତା ଦୀନେଶ ବଗର୍ତ୍ତି, ଭବାନୀପାଟଣା ସଦର ବ୍ଲକ୍‌ ଉପାଧ୍ୟକ୍ଷ ସଚିଦାନନ୍ଦ ମହାଖୁଡ଼, ଆଇନଜୀବୀ ଅନୁପ ଷଡ଼ଙ୍ଗୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କ୍ୟାବିନେଟର ଏହି ଅନୁମୋଦନକୁ ସ୍ବାଗତ କରିଥିଲେ।
ଗୋଲାମୁଣ୍ଡା: ଏନେଇ ଗୋଲାମୁଣ୍ଡାଠାରେ ବ୍ଲକ୍‌ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକ୍‌ ଅଧ୍ୟକ୍ଷ ତୁଲେଶ୍ବର ନାଏକ, ଜିଲ୍ଲା ବିଜେଡି ସଂପାଦକ ଇଂ. ଦୀନେଶ ରାଉତ, ବ୍ଲକ୍‌ ବିଜେଡି ସଭାପତି ଦୟାସାଗର ଚଲାନ, ବ୍ଲକ୍‌ ବିଜେଡି ଯୁବ ସଭାପତି ହେମନ୍ତ ସାହୁ, ବ୍ଲକ୍‌ ଛାତ୍ର ବିଜେଡି ସଭାପତି ଟୁଟୁ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

The post କଳାହାଣ୍ଡି ଜିଲ୍ଲାର ୭୧ କିଲୋମିଟର ବିଜୁ ଏକ୍ସପ୍ରେସ ୱେ ଚାରିଲେନ ହେବ first appeared on Sambad.

from ଜିଲ୍ଲା | Sambad https://ift.tt/3g8bf7Z