ବିନିକା/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ବିନିକା ବ୍ଲକ୍‌ରେ ଚାଷୀଙ୍କ ସ୍ଥିତି ଚିନ୍ତାଜନକ। ସରକାରୀ ଅବ୍ୟବସ୍ଥାର ଶିକାର ହୋଇ ଏବେ ବହୁ ଚାଷୀ ଚାଷ ଛାଡ଼ିବାକୁ ମନସ୍ଥ କରିଥିବା ଜଣାଯାଇଛି।
ଚାଷୀଙ୍କ କହିବା ଅନୁସାରେ ଧାନ ଚାଷ ପାଇଁ ଏକର ପିଛା ୩୦ ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ପ୍ରତିବର୍ଷ ସାର ଏବଂ କୀଟନାଶକ ଔଷଧର ମୂଲ୍ୟ ସହ କୃଷି ଶ୍ରମିକ ମଜୁରୀ ଅତ୍ୟଧିକ ସାମଗ୍ରୀ ବୃଦ୍ଧି ହେଉଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ଚାଷ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ମେସିନର ଭଡ଼ା ବୃଦ୍ଧି, ମନମୁତାବକ ଧାନ, ବିହନ, ସାର ଔଷଧ ମିଳି ନ ପାରିବା ଏବଂ କୃଷି ଶ୍ରମିକର ଘୋର ଅଭାବ ଲାଗି ରହିଛି। ଏହା ସତ୍ତ୍ବେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନଗଣ୍ୟ। ସେହିପରି ଧାନ ବିକ୍ରି ପାଇଁ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରବି ଋତୁରେ ଧାନ ବିକ୍ରୟ ଚାଲିଛି। ଜୁନ୍‌ ୬ ତାରିଖ ହୋଇଯାଇଥିଲେ ବି ସମସ୍ତ ଚାଷୀ ପାଖରେ ଧାନ ବିକ୍ରୟ କରିବାକୁ ଟୋକନ ନଥିବା ଅଭି‌ଯୋଗ ହେଉଛି। କେତେକ ଚାଷି ପାଖରେ ଟୋକନ ଥାଇ ମଧ୍ୟ ପେକ୍ସରେ ମିଲର୍ସମାନଙ୍କର ଟାର‌୍ଗେଟ୍‌ ନଥିବାରୁ ଚା‌ଷୀ ଧାନ ବିକ୍ରୟ କରି ନ ପାରି ଦଲାଲ ହାତରେ କମ୍‌ ଦରରେ ଦେବାକୁ ବାଧ୍ୟ ହେଉଛି। ଆବଶ୍ୟକ ସମୟରେ କୃଷି ଓ ଉଦ୍ୟାମ ବିଭାଗ ପକ୍ଷରୁ ମଧ୍ୟ କୃଷକଙ୍କୁ ସହାୟତା ମିଳୁ ନାହିଁ। ପଳରେ ଚାଷୀମାନେ ହତୋତ୍ସାହ ହୋଇ ପଡ଼ିଛନ୍ତି। ସରକାର ଏସବୁ ସମାସ୍ୟାକୁ ଗମ୍ଭୀରତାର ସହ ବିଚାରକୁ ନେଇ କୃଷି ବି‌ଶେଷଜ୍ଞ, ଅଭିଜ୍ଞ ଚାଷୀ, କୃଷକ ସଂଗଠନ, ବୃଦ୍ଧିଜୀବି, ଚାଷୀ, ଚାଷ ସଂପର୍କରେ ଜ୍ଞାନଥିବା ସରକାରୀ କର୍ମଚାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଚାଷ ଏବଂ ଚାଷୀର ସମସ୍ୟା ଉପରେ ଆମୂଳ ଚୁଳ ‌ଆଲୋଚନାର ଆବଶ୍ୟକତା ରହିଛି। ଏସବୁର ସମାସ୍ୟାର ଆଶୁ ସମାଧାନ ନ ହେଲେ ଚାଷୀମାନେ ଚାଷ ଛାଡ଼ିବା ସହିତ ଆତ୍ମହତ୍ୟା କରିବା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଲୋଚନା ହେଉଛି। କୃଷି ସମୀକ୍ଷକ ତଥା ଅଭିଜ୍ଞ କୃଷକ ପ୍ରକାଶ ପଣ୍ଡା, ପ୍ରମୋଦ ପଣ୍ଡା, ବିଶ୍ବନାଥ ପଣ୍ଡା, ସଦାଶିବ ପଣ୍ଡା, ଅଜିତ ପଣ୍ଡା, ଗର୍ନ୍ଧବ ପାତ୍ର, ବଳରାମ ସାହୁ, ଗଣେଶ ଦେହେରୀ, ବରୁଣ ପଧାନ ପ୍ରମୁଖ ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି।

୧୫ ଏକର ପାଇଁ କରିଥିଲେ ପଞ୍ଜୀକରଣ, ଆସିଲା ୧ ଏକର
ଉଲୁଣ୍ଡା ବ୍ଲକ୍‌ କଳାପଥର ଗ୍ରାମରେ କାଳେଶ୍ବରୀ ମହିଳା ଏସ୍‌ଏଚ୍‌ଜି ଧାନ କିଣା ଦାୟିତ୍ବ ନେଇଛି। ଧାନ ବିକ୍ରି ପାଇଁ ଚାଷୀମାନେ ଏସ୍‌ଏଚ୍‌ଜି ପାଖରେ ନାମ ପଞ୍ଜୀକରଣ କରିଥିଲେ। ଚାଷୀ ରମେଶ ପ୍ରସାଦ ପଧାନ, ରଞ୍ଜନ ପଧାନ ଓ ନାସିମା ପଧାନ ୧୫ ଏକର ଜମିର ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନେ ସେମାନଙ୍କୁ ୧ ଏକରର ଧାନ ବିକ୍ରି ପାଇଁ ଟୋକନ ଆସିଥିବା ଜଣାଯାଇଛି। ତେଣୁ ଅବଶିଷ୍ଟ ଧାନ କିପରି ବିକିବେ ସେନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଏ ବାବଦରେ ସିଏସ୍‌ଓଙ୍କଠାରେ ଅଭିଯୋଗ କଲେ ବି କୌଣସି ଲାଭ ହେଲା ନାହିଁ ଚାଷୀ ରଞ୍ଜନ କରିଛନ୍ତି।

The post ସରକାରୀ ଅବ୍ୟବସ୍ଥାର ଶିକାର, ଧାନ ଚାଷ ଛାଡ଼ିବେ ଚାଷୀ! first appeared on Sambad.

from ଜିଲ୍ଲା | Sambad https://ift.tt/3fTcurs