ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡର ଥୁଆମୂଳ ରାମପୁର ସାଇସୁରନି ସେକସନର କରଡ଼ାପଦର ରାଜସ୍ବ ଜଙ୍ଗଲର ରାନୀବାହାଲିଠାରେ ଶନିବାର ବନ ବିଭାଗ ପକ୍ଷରୁ ଏକ ମୃତହାତୀଠାବ ହୋଇଥିଲା। ରବିବାର ବନ ବିଭାଗର ତନାଘନା ପରେ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ହାତୀ ଦାନ୍ତ ଜବତ ହୋଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ରେଞ୍ଜର ରାଇସୁରନି ସେକ୍‌ସନ ଅନ୍ତର୍ଗତ କରଡ଼ାପଦର ବିଟ ରାନୀବାହାଲି ରାଜସ୍ବ ଜଙ୍ଗଲଠାରେ ଶନିବାର ଏକ ପ୍ରାୟ ୩୦ ରୁ ୩୫ ବର୍ଷୀୟା ମାଈ ହାତୀର ଶବ ଠାବ କରାଯାଇଥିଲା। ଖବର ପାଇ ବନ ବିଭାଗର ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ, ଏସିଏଫ୍‌, ରେଞ୍ଜ ଅଫିସର ଏବଂ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଣୀ ସମ୍ପଦ ଅଧିକାରୀ ଏକ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତହାତୀର ବୋନ୍‌ମେରା ଓ ଶରୀରର ବିଭିନ୍ନ ଅଂଶର ମାଂସ ଭୁବନେଶ୍ବର ଓୟୁଏଟି ଓ କଟକ ସ୍ଥିତ ଏଡିଆର୍‌ଆଇ ଲାବକୁ ପରୀକ୍ଷା ନିମନ୍ତେ ପଠାଯାଇଛି। ତଦନ୍ତବ‌େଳେ ଥୁଆମୂଳ ରାମପୁରର ସୁରୁ ମୁଣ୍ଡି ଗ୍ରାମର ଦାନ ମାଝୀ ହାତୀ ଶିକାର କରି ହାତୀ ଦାନ୍ତକୁ ନେଇ ରାୟଗଡ଼ା ଜିଲ୍ଲାର ମୁଚକୁଣ୍ଡ ଅଞ୍ଚଳକୁ ଚାଲି ଯାଇଥିବା ସୂଚନା ମିଳିଥିଲା। ବନ ବିଭାଗ ଦାନ ମାଝୀଙ୍କ ଘର ନିକଟରେ ହାତୀ ଦାନ୍ତ ଜବତ କରିଥିଲେ।

ସେହିଭଳି ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଥୁଆମୂଳ ରାମପୁର ସୁରୁମୁଣ୍ଡି ଗ୍ରାମର ଶନି ମାଝୀ ଓ ରାୟଗଡ଼ା ଜିଲ୍ଲା କଲ୍ୟାଣୀସିଂଙ୍ଗପୁର ଥାନା ଅନ୍ତର୍ଗତ ମୁଟୁକୁନି ଗ୍ରାମର ପ୍ରଶାନ୍ତ କୌଶଲ୍ୟାକୁ ବନ ବିଭାଗ ଗିରଫ କରିଛି। ସେମାନଙ୍କୁ ରବିବାର କୋର୍ଟ ଚାଲାଣ କରିଛି। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ହାତୀ ଶିକାରୀ ରାକେଟ୍‌ ଯୋଗୁଁ ହାତୀ ମୃତ୍ୟୁ ଦେଖିବାକୁ ମିଳିଛି। ହାତୀ ମୃତ୍ୟୁର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ଆଲୋଚନା ହେଉଛି।

The post କରଡ଼ାପଦର ଠାରେ ହାତୀ ମୃତ୍ୟୁ ଘଟଣା: ହାତୀଦାନ୍ତ ଜବତ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3viykJd