
ଆନନ୍ଦପୁର : ଘସିପୁରାର ପ୍ରାଚୀନ ଶୈବପୀଠ ଝାଡ଼େଶ୍ବର ମନ୍ଦିରରେ ଅଘଟଣ। ମନ୍ଦିରରେ ପୂଜା କରିବାବେଳେ ନାଗସାପ ଚୋଟରେ ବରିଷ୍ଠ ପୂଜକ କୈଳାଶ ଚନ୍ଦ୍ର ମିଶ୍ର (୭୨)ଙ୍କ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ୧୪୪ ଧାରା ଜାରି ଯୋଗୁଁ ମନ୍ଦିରରେ ଶ୍ରଦ୍ଧାଳୁ ନଥିଲେ। ପୂର୍ବାହ୍ନ ୧୦ଟାବେଳେ କୈଳାଶ ମନ୍ଦିରରେ ପୂଜା କରୁଥିଲେ। ଏହି ସମୟରେ ମନ୍ଦିର ପଛ ଡ୍ରେନ୍ ଦେଇ ମୂଷାକୁ ଗୋଡ଼ାଇ ଏକ ନାଗସାପ ଆସି ଶିବଲିଙ୍ଗ ନିକଟରେ ପହଞ୍ଚି ଯାଇଥିଲା। କୈଳାଶ ଶିବଲିଙ୍ଗରେ ଘର୍ଷଣ କରୁଥିବାବେଳେ ସାପଟି ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ସାଢ଼େ ୧୨ଟାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁଶଯ୍ୟା ନିକଟରେ ତିନିପୁଅ ସନ୍ତୋଷ, ସୁରେଶ, ଦାମୋଦରଙ୍କ ସମେତ ମନ୍ଦିର କୋଠ ତହସିଲଦାର ପୀତାମ୍ବର ସା, ପୂଜକ କୃଷ୍ଣଚନ୍ଦ୍ର ଶତପଥୀ, ସୁଦାମ ପଣ୍ଡା, ଅନ୍ତର୍ଯ୍ୟାମୀ ଦାଶ, ବାବା ପ୍ରଫୁଲ୍ଲ ଦାସ, ଯଜ୍ଞ କମିଟି ସଦସ୍ୟ ରଘୁନାଥ ପାଢ଼ୀ, ଚକ୍ରଧର ସାହୁ, ଲୋକନାଥ ସାହୁ, ନାରାୟଣ ସାହୁ, ସୁବାସ ମହାନ୍ତି, ଭୀମସେନ ସାହୁ, ନିରଞ୍ଜନ ସାହୁ, ପ୍ରଶାନ୍ତ ସାହୁ, ଧନେଶ୍ବର ସାହୁ, ପଙ୍କଜ ସାହୁ, ଦୀପକ ସାହୁ, ମାମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୈତରଣୀ କୂଳ ଝାଡ଼େଶ୍ବର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ। ଆନନ୍ଦପୁର ପୌରାଞ୍ଚଳ ୬ ନମ୍ବର ୱାର୍ଡ ପାଟକୁଳସାହିର ବାସିନ୍ଦା କୈଳାଶ ଦୀର୍ଘ ୫୦ବର୍ଷ ହେଲା ଝାଡ଼େଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଆସୁଥିଲେ। ତାଙ୍କ ବିୟୋଗରେ ଘସିପୁରାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
The post ପୂଜା କଲାବେଳେ ସର୍ପାଘାତରେ ପୂଜକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/35iSNmE
0 Comments