ରାଉରକେଲା : ହଜିଯାଇନି ମଣିଷ ପଣିଆ। ରାଉରକେଲା ଷ୍ଟେସନରେ ଛାଡି ଯାଇଥିବା ଅଳଙ୍କାର, ଟଙ୍କା ଓ କପଡା ଭର୍ତ୍ତି ଟ୍ରଲି ବ୍ୟାଗ୍‌କୁ ମହିଳା ଯାତ୍ରୀଙ୍କୁ ଫେରାଇଲେ ଆର୍‌ପିଏଫ୍‌ ଯବାନ। ଷ୍ଟେସନରେ ହଜିଯାଇଥିବା ଟ୍ରଲି ବ୍ୟାଗ୍‌କୁ ୭ ଦିନ ପରେ ପାଇଥିବାରୁ ଆର୍‌ପିଏଫ୍‌ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ଯାତ୍ରୀ।

ଘଟଣାଟି ଥିଲା ଏମିତି। ବାସନ୍ତୀ କଲୋନି ଏଲ୍‌ -୧୨୨ (ଫେଜ୍‌ -୨)ରେ ରହନ୍ତି ସୁରେନ୍ଦ୍ର ସାହୁ, ପତ୍ନୀ ମୀରା ଦେବୀ ଓ ତାଙ୍କ ପରିବାର। ଗତ ୧୯ ତାରିଖରେ ପରିବାର ଲୋକ ହାୱଡା-ପୋର୍‌ବନ୍ଦର ସ୍ବତନ୍ତ୍ର ଏକ୍ସପ୍ରେସ୍‌ରେ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ଭୁଲବଶତଃ ପ୍ଲାଟଫର୍ମରେ ନିଜର କଳା-ଗ୍ରେ ରଙ୍ଗର ଭିଆଇପି ଟ୍ରଲି ବ୍ୟାଗ୍‌କୁ ଛାଡି ଦେଇଥିଲେ। ଟ୍ରେନ୍‌ କିଛି ବାଟ ଗଲା ପରେ ବସିଥିବା ସିଟ୍‌ ନିକଟରେ ଟ୍ରଲି ବ୍ୟାଗ୍‌ ନଥିବାରୁ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ପ୍ଲାଟଫର୍ମରେ ଛାଡି ଦେଇଥିବା ଜାଣିବା ପରେ ଏ ସଂକ୍ରାନ୍ତରେ ଟିଟିଇଙ୍କୁ ଜଣାଇଥିଲେ। ବ୍ୟାଗ୍‌ରେ ନଗଦ ୪୦ ହଜାର ଟଙ୍କା, କିଛି ସୁନା ଅଳଙ୍କାର, ପିଲାର ଜନ୍ମ ପ୍ରମାଣପତ୍ର ଓ କିଛି କପଡା ରହିଥିଲା। ମୀରା ଯାତ୍ରା କରୁଥିବା କୋଚ୍‌ର ଟିଟିଇ ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌କୁ ଜଣାଇଥିଲେ।

ଆର୍‌ପିଏଫ୍‌ ଯବାନମାନେ ପ୍ଳାଟଫର୍ମରୁ ଟ୍ରଲି ବ୍ୟାଗ ପାଇବା ପରେ ଟିଟିଇଙ୍କ ୱାଟ୍‌ସ ଆପ୍‌ ନମ୍ବରରେ ଫଟୋ ଉଠାଇ ପଠାଇଥିଲେ। ଟିଟିଇଙ୍କ ଠାରୁ ସୂଚନା ପାଇବା ପରେ ବ୍ୟାଗ୍‌ଟିକୁ ସୁରକ୍ଷିତ ଭାବେ ରଖିବାକୁ ସିଆର୍‌ପିଏଫ୍‌ ଯବାନଙ୍କୁ ଅନୁରୋଧ କରିଥିଲେ। ଗତକାଲି ଘରେ ପହଞ୍ଚିବା ପରେ ଆର୍‌ପିଏଫ୍‌ ଥାନାକୁ ଟ୍ରଲି ବ୍ୟାଗ୍‌ ଆଣିବାକୁ ଯାଇଥିଲେ। ଥାନାରେ ବ୍ୟାଗ୍‌ଟିକୁ ଖୋଲିବା ପରେ ସବୁଜିନିଷ ଠିକ୍‌ ଠାକ୍‌ ଥିବାରୁ ମୀରା ଦେବୀ ଆର୍‌ପିଏଫ୍‌ ଯବାନଙ୍କୁ ସଲାମ୍‌ କରିବା ସହ ଧନ୍ୟବାନ ଜଣାଇଥିଲେ।

The post ଆର୍‌ପିଏଫ୍‌ ଯବାନଙ୍କୁ ସଲାମ୍‌, ଫେରାଇଲେ ମହିଳା ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3gYBaPP