ରାଉରକେଲା : ମହାମାରୀ କରୋନାରେ କିଏ ବାପା ଓ ମା’ଙ୍କୁ ତ ପୁଣି କିଏ ଉଭୟ ବାପାମାନଙ୍କୁ ହରାଇଛନ୍ତି। ଅନେକ ଶିଶୁ ଉଭୟ ବାପା-ମା’ଙ୍କୁ ହରାଇ ଅନାଥ ହୋଇଛନ୍ତି। ଯେଉଁ ସମୟରେ ପିଲାମାନେ ହସ ଖୁସିରେ ଖେଳିବା କଥା ସେହି ସମୟରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଏଭଳି ସଙ୍କଟରେ ଥିବା ଅସୁରକ୍ଷିତ, ଅନାଥ ଏବଂ ଅସହାୟ ପିଲାଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଶିକ୍ଷାକୁ ସୁନିଶ୍ଚିତ କରିବାକୁ ନିକଟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାରଙ୍କ ତଥ୍ୟ ସଂଗ୍ରହ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡରେ ଅବା କୋଭିଡ୍‌ ସମୟରେ ଅନ୍ୟ ରୋଗରେ ଉଭୟ ବାପା-ମା’ଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି ବିଡିଓ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଅଦ୍ୟାବଧି କୋଭିଡ୍‌ ସମୟରେ ୨୨ ପିଲା ଅନାଥ ହୋଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା।

ତାଙ୍କ କହିବାନୁଯାୟୀ, ୨୨ ଜଣଙ୍କ ମଧ୍ୟରେ ୪ ପିଲାଙ୍କ ବାପା-ମା କୋଭିଡରେ ମୃତ୍ୟୁବରଣ କରିଛନ୍ତି। ଦୁଇ ପିଲା ହେଉଛନ୍ତି କୋଇଡା ଓ ଅନ୍ୟ ଦୁଇଜଣ ହେଲେ ରାଜଗାଙ୍ଗପୁର ବ୍ଲକର। ଅନ୍ୟ ୧୮ ଜଣ ପିଲାଙ୍କ ବାପା-ମା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେମାନେ ହେଉଛନ୍ତି ରାଜଗାଙ୍ଗପୁର, ହେମଗିରି, ଟାଙ୍ଗରପାଲି, ନୂଆଗାଁ ଆଦି ବ୍ଲକର। ୬ ପିଲାଙ୍କୁ ଛେଣ୍ଡସ୍ଥିତ ଏସ୍‌ଓଏସ୍‌ ଶିଶୁ ଗ୍ରାମ, ୪ ଜଣଙ୍କୁ ସୁନ୍ଦରଗଗଡ ବେଲସରା, ୩ ଜଣଙ୍କୁ କୁତ୍ରା ଲଗ୍‌ସ ସୋସାଇଟି, ୩ ଜଣଙ୍କୁ ସୁନ୍ଦରଗଡ ବାଲିଜୋର ଆଶ୍ରମ ଓ ଅନ୍ୟମାନେ ନିଜ ନିଜ ସମ୍ପର୍କୀୟଙ୍କ ଘରେ ରହିଛନ୍ତି। ଯେଉଁ ଅନାଥ ପିଲାଙ୍କ ସମ୍ପର୍କୀୟ ନାହାନ୍ତି ସେମାନଙ୍କର ସମସ୍ତ ଦାୟିତ୍ବ ବହନ କରିବେ ସୁନ୍ଦରଗଡ ଜିଲ୍ଲାପାଳ। ସମସ୍ତ ପିଲାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଯେଉଁମାନେ ସମ୍ପର୍କୀୟମାନଙ୍କ ନିକଟରେ ରହିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। ଏଥିସହ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବେ।

ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି ଜିଲ୍ଳାର ବିଡିଓଙ୍କ ପକ୍ଷରୁ ତଥ୍ୟ ସଂଗ୍ରହ ଚାଲିଛି। ଅନାଥ ପିଲାଙ୍କ ତଥ୍ୟ ବିଡିଓମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପ୍ରଦାନ କରିବେ। ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାଥ ପିଲାଙ୍କ ତଥ୍ୟକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିବା ପରେ ସୁପ୍ରିମ କୋର୍ଟକୁ ପଠାଯିବ।

The post ସୁନ୍ଦରଗଡ ଜିଲ୍ଲାରେ ୨୨ ପିଲାଙ୍କୁ ଅନାଥ କରିଛି କରୋନା first appeared on Sambad.

from ଜିଲ୍ଲା | Sambad https://ift.tt/2ROWDRr