ଧର୍ମଶାଳା : ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ୍‌ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି କୁଆଖିଆ ଥାନା ସିଂହାପୁର ଗ୍ରାମର ପରାଧୀନ ମଲିକ ଓରଫ୍ ଦୀପା। ସେ ଏହି ଥାନା ଅଧୀନ ନୂଆହାଟ ଗାଁର ଗ୍ରାମରକ୍ଷୀ ଗଙ୍ଗାଧର ମଲିକଙ୍କ ଘରେ କିଛିଦିନ ହେଲା ରହୁଥିଲା। କୌଣସି ସୂତ୍ରରୁ ଖବର ପାଇ ଧର୍ମଶାଳା, କୁଆଖିଆ ଓ ଜେନାପୁର ଥାନା ପୁଲିସ୍‌ ମିଳିତ ଭାବେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରି ଦୀପାକୁ କାବୁ କରିଥିଲେ।

ଦୀପା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡଙ୍କାରି ଗାଁ ରବି ଦାସର ଶାଳକ। ସେ ବ୍ୟବହାର କରୁଥିବା ଏକ ଗ୍ଲାମର ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି। ସେ ଢେଙ୍କାନାଳ ଗଁଦିଆ ଅଞ୍ଚଳକୁ ଯାଇ ବୋମା ସଂଗ୍ରହ କରିବା ଓ ଘଟଣାଦିନ ସର୍ବେଶ୍ବରଙ୍କ କାରକୁ ପିଛା କରି ତାଙ୍କ ଗତିବିଧି ସଂପର୍କରେ ବୋମା ଫିଙ୍ଗାଳିଙ୍କୁ ସୂଚନା ଦେଇଥିଲେ। ପୁଲିସ୍‌ ଦୀପାର ବୟାନ ରେକର୍ଡ କରିବା ପରେ ତାକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଦୀପାକୁ ମିଶାଇ ଏହି ମାମଲାରେ ଗିରଫଦାରି ସଂଖ୍ୟା ୭ରେ ପହଞ୍ଚିଛି।

ଏହି ଘଟଣାରେ ପୁଲିସ୍‌ ଗତ ଏପ୍ରିଲ୍ ୮ତାରିଖରେ ବଡ଼ଚଣା ଥାନା କୁଆଁରପୁର ଗ୍ରାମର ଶମ୍ଭୁନାଥ ନାୟକ, ଢେଙ୍କାନାଳ ଗଁଦିଆର ଅନୀଲ ଦାସ ଓ ଆଠଗଡ଼ ପୁରୁଷୋତ୍ତମପୁର ଗ୍ରାମର ଶିବାନୀ ବେହେରା ଏବଂ ୨୦ତାରିଖରେ ଗଁଦିଆ ଥାନା ଷଣ୍ଢପଶି ଗ୍ରାମର ଦେବେନ୍ଦ୍ର ରାଉତ ଓରଫ୍ ରିଂଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁପାରି ଦେଇଥିବା ଅଭିଯୋଗରେ ଡଙ୍କାରି ଗ୍ରାମର ରବୀନ୍ଦ୍ରନାଥ ଦାସ ଓ ସୌମ୍ୟରଂଜନ ପୃଷ୍ଟି ଓରଫ୍ ସିପୁନଙ୍କୁ ଗତ ଏପ୍ରିଲ୍ ୨୩ତାରିଖରେ ଗିରଫ କରାଯାଇଥିଲା। ସେହିପରି ଗତ ୭ତାରିଖରେ ରଗଡ଼ି ଜେଲ୍‌ରେ ଟିଆଇ ପରେଡ୍ ବେଳେ ବୋମା ପିଙ୍ଗିଥିବା ରିଂଟୁକୁ ସର୍ବେଶ୍ବର ଚିହ୍ନଟ କରିଥିଲେ।

The post ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣା: ସପ୍ତମ ଅଭିଯୁକ୍ତ ଦୀପା ମଲିକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3wopoU5