ଭୂତଳ ଜଳସ୍ତର ବୃଦ୍ଧି ଲକ୍ଷ୍ୟ
ସରକାରୀ କାର୍ଯ୍ୟାଳୟ, କ୍ବାର୍ଟର, ହସପିଟାଲ, ସ୍କୁଲ, କଲେଜରେ ହେଉଛି ପ୍ରକଳ୍ପ
୬୫୧ ପ୍ରକଳ୍ପର ନିର୍ମାଣ ସରିଲାଣି, ୩୮୫ ନିର୍ମାଣାଧୀନ

ରାଉରକେଲା: ପୂର୍ବରୁ ବର୍ଷା ଜଳ ସବୁ ଅପଚୟ ହେଉଥିଲା। ଏମିତିକି ଛାତ ଉପରେ ପାଣି ଜମି ରହିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ବର୍ଷା ଜଳ ସବୁ ନଦୀକୁ ଯାଉଥିବାରୁ ଭୂତଳ ଜଳସ୍ତର ବି ହ୍ରାସ ହେବାରେ ଲାଗିଛି। ତେବେ ଏହି ବର୍ଷା ଜଳ ସଂରକ୍ଷଣ ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛାତର ପାଣିକୁ ସଂରକ୍ଷିତ କରାଯାଉଛି। ରିଚାର୍ଜ ପିଟ୍‌ ତିଆରି ବର୍ଷାଜଳକୁ ବିଶୋଧନ କରି ପୁଣି ମାଟି ତଳକୁ ପଠାଇବାର ବ୍ୟବସ୍ଥା କରାଯାଉଛି। ଫଳରେ ଭୂତଳ ଜଳସ୍ତର ବୃଦ୍ଧି ଘଟୁଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୮୧ଟି ପ୍ରକଳ୍ପ ନିର୍ମାଣ ସରିସାରିଥିବାବେଳେ ୩୮୫ଟି ପ୍ରକଳ୍ପ ନିର୍ମାଣାଧୀନ।

ସୁନ୍ଦରଗଡ଼ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ଜଳ ସଂରକ୍ଷଣ ଲାଗି ‘ରୁଫ୍ ଟପ୍ ରେନ୍ ଓ୍ୱାଟର୍‌ ହାର୍ଭେଷ୍ଟିଂ’ ବା ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ହାତକୁ ନିଆଯାଇଛି। ଗତ ସେପ୍ଟେମ୍ବର ମାସରୁ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ର ଆର୍ଥିକ ସହାୟତାରେ ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ, ଡାକ୍ତରଖାନା, ସ୍କୁଲ, କଲେଜ ଓ ଛାତ୍ରାବାସ କୋଠା ଆଦି ସ୍ଥାନରେ ଏହି ପ୍ରକଳ୍ପ କରାଯାଉଛି। ଛାତରୁ ପାଇପ୍‌ ଯୋଗ‌େ ପାଣି ନିସ୍କାସନ ହେଉଛି। ଉକ୍ତ ନିସ୍କାସିତ ଜଳକୁ ରିଚାର୍ଜ ପିଟ୍‌(ଟାଙ୍କି)ରେ ଛାଡ଼ି ଦିଆଯାଉଛି। ଯଦ୍ବାରା ରିଚାର୍ଜ ପିଟ୍‌ରୁ ପାଣି ଭୂତଳକୁ ଯାଉଛି। ୧୫ ଶହ ବର୍ଗ ଫୁଟ୍‌ ବିଶିଷ୍ଟ ଛାତ ପାଇଁ ଗୋଟିଏ ରିଚାର୍ଜ ପିଟ୍‌ ତିଆରି କରାଯାଉଛି। ଏହି ରିଚାର୍ଜ ପିଟ୍‌ର ଗଭୀରତା ୧୦ ଫୁଟ ଓ ଓସାର ୪ ଫୁଟ୍‌ ବିଶିଷ୍ଟ। ପ୍ରତ୍ୟେକ ପ୍ରକଳ୍ପର ପ୍ରାୟ ୭୦ ହଜାର ଟଙ୍କା ବ୍ୟୟ କରାଯାଉଛି।

ତେବେ ଛାତରୁ ରିଚାର୍ଜ ପିଟ୍‌ର ଦୂରତା, ଅଧିକ ଉଚ୍ଚତା ବିଶିଷ୍ଟ ଛାତ ଆଦି କ୍ଷେତ୍ରରେ ପ୍ରକଳ୍ପ ବ୍ୟୟ ଅଧିକ ହେଉଛି। ଏହି ପ୍ରକଳ୍ପ ସହ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡ଼ା ଯାଇ ସ୍ଥାନୀୟ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଦିଆଯାଉଛି। ବିଶେଷକରି କରୋନା ମହାମାରୀରେ ଜୀବିକା ହରାଇ ଘରକୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଏଥିରୁ ନିଯୁକ୍ତି ମିଳୁଛି। ଯଦ୍ବାରା ଏହି ପ୍ରବାସୀ ଶ୍ରମିକଙ୍କ ଆୟର ବାଟ ବି ଫିଟିଛି। ବର୍ଷା ଜଳ ଅମଳ ପ୍ରକଳ୍ପକୁ ବ୍ୟାପକ କରି ଜଳ ସଙ୍କଟର ସମାଧାନ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଅଧିକରୁ ଅଧିକ ଏଭଳି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି।

The post ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ first appeared on Sambad.

from ଜିଲ୍ଲା | Sambad https://ift.tt/3gc9Yg6