
ରାଉରକେଲା: ସ୍ମାର୍ଟ୍ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ ଉପଯୋଗୀ ବା ଚିଲ୍ଡ୍ରେନ୍ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କାର୍ଯ୍ୟକ୍ରମ ସହ ଲୋକଙ୍କୁ ଯୋଡ଼ିବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଡିଜାଇନ୍, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତାର ଆୟୋଜନ କରାଯାଉଛି।
ଏହି ସର୍ଜନାତ୍ମକ ପ୍ରତିଯୋଗିତାର ଥିମ୍ ରହିଛି ‘ରାଉରକେଲା ଆଜ୍ ୟଙ୍ଗ ଚିଲ୍ଡ୍ରେନ ଆଣ୍ଡ୍ କେୟାର ଗିଭରସ୍ ଫ୍ରେଣ୍ଡଲି ସିଟି’। ଯେ କୌଣସି ବୟସ ଓ ବର୍ଗର ବ୍ୟକ୍ତି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଜଣେ ଚାହିଁଲେ ଏକାଧିକ ବିଭାଗରେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତା ପାଇଁ ଲୋଗୋ, ପୋଷ୍ଟର ଡିଜାଇନ୍ ବା ଜିଙ୍ଗଲ ରଚନା କରି ପଠାଇବାର ଶେଷ ତାରିଖ ହେଉଛି ଜୁନ୍ ୨୧। ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ବିବେଚିତ କୃତୀ ପାଇଁ ବିଜେତାଙ୍କୁ ୩ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।
ସ୍ମାର୍ଟ ସିଟି ରାଉରକେଲାର ବିକାଶରେ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି। ତେଣୁ ରାଉରକେଲାବାସୀଙ୍କ ମଧ୍ୟରେ ଥିବା ପ୍ରତିଭାର ଉପଯୋଗ କରି ଏହି ତିନୋଟି ସର୍ଜନାତ୍ମକ କାର୍ଯ୍ୟ କରିବାକୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ଲୋଗୋ ଓ ପୋଷ୍ଟର ତଥା ଜିଙ୍ଗଲ (ଲେଖା)ର ସଫ୍ଟ କପି nncrourkela@gmail.com ମେଲ୍ ଆଇଡିରେ ପଠାଇବାକୁ ରାଉରକେଲା ସ୍ମାର୍ଟ ସିଟି ପଠାଇବାକୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗିତା ସମ୍ପର୍କରେ ରାଉରକେଲା ମହାନଗର ନିଗମର ୱେବସାଇଟରୁ (www.rmc.nic.in) ଅଧିକ ତଥ୍ୟ ମିଳି ପାରିବ।
ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସହ ମାନସିକ ବିକାଶର ସଠିକ୍ ସମୟ ହେଉଛି ଶୈଶବ। ଏହି ସମୟରେ ହିଁ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୂଳଦୁଆ ପଡ଼ିଥାଏ। ତେଣୁ ଏଥିରେ ଆମ ସହରର ପରିବେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏହାକୁ ଦୃଷ୍ଟିରେ ରଖି ଏବେ ଆମ ସହର କିପରି ବାସ୍ତବରେ ଶିଶୁ-ଅନୁକୂଳ ହୋଇପାରିବ ସେଥିପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି।
ଦେଶର ଆଧୁନିକ ସହରଗୁଡ଼ିକୁ ପିଲାଙ୍କ ପାଇଁ ଅନୁକୂଳ ଓ ଆନନ୍ଦମୟ କରିବାକୁ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ଲିର୍ ଫାଉଣ୍ଡେସନ ଏବଂ ଓ୍ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି ଦିଗରେ ସଫଳତାର ସହ କାମ କରୁଥିବା ରାଉରକେଲା ସ୍ମାର୍ଟ ସିଟି ଦେଶରେ ୨୫ଟି ପ୍ରମୁଖ ସହର ମଧ୍ୟରେ କିଛିଦିନ ତଳେ ସ୍ଥାନ ପାଇଥିଲା।
The post ରାଉରକେଲା ସ୍ମାର୍ଟ ସିଟିର ଲୋଗୋ, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତା first appeared on Sambad.from ଜିଲ୍ଲା | Sambad https://ift.tt/3wm66Pb
0 Comments