ବଲାଙ୍ଗୀର: ସକାଳୁ ମେଘୁଆ ପାଗ ଲାଗିଥିଲା। ଅପରାହ୍ନ ସମୟରେ ହେଲା ପ୍ରବଳ ବର୍ଷା। ବର୍ଷାରେ ସହରର ଅନେକ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ବ୍ରାହ୍ମଣପଡ଼ା ଛକରେ ଡ୍ରେନ ପାଣି ନିଷ୍କାସନ ହୋଇନପାରିବାରୁ ଲୋକଙ୍କ ଘର ଭିତରକୁ ପାଣି ପଶିଥିଲା। ସେହିପରି ରାମେଶ୍ୱରନଗର ମୁଖ୍ୟ ଡ୍ରେନ୍‌ ଠିକରେ ସଫା ହୋଇନଥିବାରୁ ରାସ୍ତାରେ ପାଣି ଯାଇଥିଲା।

ବହୁ ପଡ଼ାରେ ପାଣି ଜମି ରହିଥିଲା। ଏପରିକି ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରେ ପାଣି ଜମି ରହିଥିବାରୁ ରୋଗୀ ସଂପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଡାକ୍ତରଖାନା ସର୍ଜରି ୱାର୍ଡ ସାମ୍ନାରେ ପାଣି ଜମି ରହିଥିଲା। ଡ୍ରେନ୍‌ କାମ ସବୁ ଠିକରେ ହୋଇନଥିବାରୁ ଏଭଳି ପରିସ୍ଥିତି ଦେଖାଦେଉଛି। ଟିକିଏ ବର୍ଷାରେ ବି ଲୋକମାନଙ୍କ ଘରକୁ ପାଣି ପଶୁଛି। ଦୁଇଦିନ ତଳେ ୟୁଥ ଏକ୍ସନ କମିଟି ପକ୍ଷରୁ ପୌର କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲା। ଡ୍ରେନ୍‌ ସଫେଇ କରିବାକୁ ଦାବି କରାଯାଇଥିଲା। ବିଶେଷ କରି ରାସ୍ତାଘାଟ ଓ ଡ୍ରେନ୍‌ ନିର୍ମାଣ କାମ ସମୟରେ ଅନେକ ସ୍ଥାନରେ ମନମାନୀ କରାଯାଉଛି। ରେଲୱେ ଷ୍ଟେସନ ରାସ୍ତାରେ ଏକ ଡ୍ରେନ୍‌ କାମ କରିବାରେ ବ୍ୟାପକ ତ୍ରୁଟି କରାଯାଇଛି। ବ୍ରାହ୍ମଣପଡ଼ାଠାରେ ମଧ୍ୟ ନୂଆ ପିଚୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ଗଳିରେ ଥିବା ଏକ ପୁରୁଣା ଡ୍ରେନ୍‌ରୁ ପାଣି ନିଷ୍କାସନ କେମିତି ହେବ ତାହାକୁ ଧ୍ୟାନ ଦିଆଯାଇନଥିଲା। ଏଣୁ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ସବୁ ଜମି ରହୁଛି।

The post ବର୍ଷା ହେଲେ ଜମୁଛି ପାଣି, ଡାକ୍ତରଖାନାରେ ଦେଖାଦେଲା ଅସନ୍ତୋଷ first appeared on Sambad.

from ଜିଲ୍ଲା | Sambad https://ift.tt/3pNFdkJ