କଟକ : ବିଶି‌‌‌‌ଷ୍ଟ ଗୀତିକବି, ଗାଳ୍ପିକା, ଶିଶୁ ସାହିତ୍ୟିକା, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ମୀନାକ୍ଷୀ ଦେବୀ (୬୬)ଙ୍କର ପରଲୋକ ଘଟିଛି। ବୁଧବାର ସଂଧ୍ୟାରେ ସେ ଝାଞ୍ଜିରୀମଙ୍ଗଳା ବାସଭବନ ପରିସରରେ ଚାଲୁଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ପରିବାର ପକ୍ଷରୁ ତାଙ୍କୁ ଏସ୍‌ସିବି ମେଡିକାଲି ଆଶୁ ଚିକିତ୍ସା ବିଭାଗକୁ ନିଆଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଥିଲା। ଅନ୍ତିମ ଶଯ୍ୟା ନିକଟରେ ସ୍ବାମୀ ଶଶୀଭୂଷଣ ତ୍ରିପାଠୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ଝାଞ୍ଜିରୀମଙ୍ଗଳା ଚକୋଲେଟ୍ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଛି। ଆସନ୍ତାକାଲି ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ମୀନାକ୍ଷୀ ଦେବୀ ୧୯୫୫ ମସିହା ମାର୍ଚ ୨୨ତାରିଖରେ ପୁରୀ ଜିଲ୍ଲା ଶ୍ରୀପୁରୁ‌ଷୋତ୍ତମପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଅଧ୍ୟାପିକା ଭାବେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ୨୦ରୁ ଅଧିକ ଗୀତିକବିତା, କ୍ଷୁଦ୍ରଗଳ୍ପ, ଶିଶୁ ନାଟକ, ଉପନ୍ୟାସ, ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ସେ ମଧ୍ୟ ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ। ସାରସ୍ବତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହେବା ସହ ଅନେକ ସାରସ୍ବତ ଅନୁଷ୍ଠାନ ଦ୍ବାରା ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।

ତାଙ୍କ ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଳିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ପ୍ରଫେସର ଡ. ବିଜୟାନନ୍ଦ ସିଂହ, ‘ସମ୍ବାଦ’ ସଂପାଦକ(ଫିଚର) ଡ. ଗୌରହରି ଦାସ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ସାରଳା ସାହିତ୍ୟ ସଂସଦର ସଭାପତି ଡ. ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

The post ମୀନାକ୍ଷୀ ଦେବୀଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3uJJcj9