ବେଲପଡ଼ା : ପ୍ରଥମେ ଫେସ୍‌ବୁକ୍‌ରୁ ପ୍ରେମ। ପରେ ପ୍ରେମିକ ବିବାହିତ ବୋଲି ଜାଣିବାରୁ ପ୍ରେମିକା ମନା କରିଦେଲେ। ଏହାକୁ ନେଇ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଛି। ଏକ ଛୁରିରେ ଅତର୍କିତ ଆକ୍ରମଣ କରିବାରୁ ପ୍ରେମିକା ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବାହାଲ ଗାଁରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଙ୍ଗୋମୁଣ୍ତା ବାହାଲ ଗ୍ରାମର ଉକ୍ତ ଯୁବତୀ (୨୪ବର୍ଷ) ଓ ପାଟଣାଗଡ଼ ଥାନା ବରପିଟା ଗାଁର ପ୍ରକାଶ ବେହେରାଙ୍କ ମଧ୍ୟରେ ୨ବର୍ଷ ହେଲା ଫେସ୍‌ବୁକ୍‌ରେ ପ୍ରେମସଂପର୍କ ଆରମ୍ଭ ‌ହୋଇଥିଲା। ପ୍ରକାଶ ବିବାହିତ ଓ ୨ସନ୍ତାନର ବାପା ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। କିନ୍ତୁ ଫୋନ୍‌ରେ ଉଭୟେ ବହୁ ସମୟ ଧରି ଗପୁଥିଲେ। ଗତ ୨୬ ତାରିଖ ରାତିରେ ପ୍ରେମିକା ଗାଁରେ ଥିବା ତାଙ୍କ ନାନୀଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ ଝିଆରୀ ସାଙ୍ଗରେ ଏକ କୋଠରିରେ ଶୋଇଥିଲେ। ପ୍ରେମିକ ପ୍ରକାଶ ରାତିରେ ଉକ୍ତ କୋଠରିକୁ ପଶି ପ୍ରେମ ନିଦେଦନ କରିଥିଲା। କିନ୍ତୁ, ଯୁବତୀ ମନା କରିବାରୁ ତାଙ୍କୁ ଏକ ଛୁରି ସାହାଯ୍ୟରେ ପ୍ରକାଶ ଆକ୍ରମଣ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସିଯିବାରୁ ପ୍ରକାଶ ଫେରାର ମାରିଥିଲା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ରାତି ୧ଟାରେ ଡାକ୍ତରଖାନାକୁ ଅଣାଯାଇ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଫେସ୍‌ବୁକ୍‌ରୁ ପ୍ରେମ, ମନା କରିବାରୁ ପ୍ରେମିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ first appeared on Sambad.

from ଜିଲ୍ଲା | Sambad https://ift.tt/3h6oKnQ