କେନ୍ଦୁଝର : ଏଇଠି ଅଛି ଲକ୍ଷ୍ମୀଙ୍କର ପାଦ ଚିହ୍ନ। ସେଇଥିପାଇଁ ସ୍ଥାନଟିର ନାଁ ‌ହେଉଛି ଲକ୍ଷ୍ମୀପାଦ। କେନ୍ଦୁଝର ଜିଲ୍ଲା ସଦର ମହକୁମା ନିକଟ ସିଦ୍ଧ ମଠ ଜଙ୍ଗଲରେ ରହିଛି ଏହି ଧାର୍ମିକସ୍ଥଳୀ।

କେନ୍ଦୁଝର ସହର ଉପକଣ୍ଠ ଓ ବାଶଂପାଳ ବ୍ଲକର ସୀମାନ୍ତରେ ଇନ୍ଦ୍ରଛତ୍ର ପାହାଡ଼ ତଳେ ରହିଛି ଲକ୍ଷ୍ମୀପାଦ। ଶାଳ, ପିଆଶାଳ, ସଲପ, ହରିଡା, ବାହାଡା, ଅଁଳା, ପାତାଳଗରୁଡ, ଗଗଂଶିଉଳି ପ୍ରଭୃତି ଅନେକ ପ୍ରକାରର ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ଏହି ଅଚଂଳଟି ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏଠାରେ ପଥରରେ ମା’ ଲକ୍ଷ୍ମୀଙ୍କ ପାଦ ଆକୃତିର ଚିହ୍ନ ରହିଛି। ଯେଉଁଥିପାଇଁ ଏହାକୁ ଲକ୍ଷ୍ମୀପାଦ କୁହାଯାଏ।

ଝରଣା କୂଳେକୂଳେ ଇନ୍ଦ୍ରଛତ୍ର ପାହାଡ଼ର ପାଦଦେଶରେ ଗୋଟିଏ ବିରାଟ ଆମ୍ବଗଛ ତଳେ ରହିଛି ଏକ ପଥର। ସେହି ପଥର ଉପରେ ରହିଛିି ପାଦଚିହ୍ନ। ଓଦା ମାଟିରେ ଚାଲିଗଲେ ଯେପରି ପାଦ ଚିହ୍ନ ହୁଏ ଠିକ ସେମିତି ପଥର ଉପରେ ରହିଛି ଏହି ପାଦଚିହ୍ନ। ପାଦଚହ୍ନଟି ମା’ ଲକ୍ଷ୍ମୀଙ୍କର ବୋଲି ଲୋକଙ୍କର ବିଶ୍ୱାସ ରହିଛି। ପାଦଚିହ୍ନଟି ପୁରାଣ ଯୁଗର ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି।

କେନ୍ଦୁଝର ଲକ୍ଷ୍ମୀପାଦରେ ଥିବା ପାଦ ଚିହ୍ନଟି ଡାହାଣପାଦ ଚିହ୍ନ ଅଟେ । ମା’ ଲକ୍ଷ୍ମୀଙ୍କ ବାମ ପାଦ ଚିହ୍ନଟି ବଣେଇ ନିକସ୍ଥ ଖଣ୍ଡାଧାର ନିକଟରେ ଅଛି ବୋଲି କେତେକ ମତ ଦିଅନ୍ତି। ଧନ ଓ ଐଶ୍ୱର୍ଯ୍ୟର ଦେବୀ ମାତା ଲକ୍ଷ୍ମୀଙ୍କର ଏହି ପାଦ ଚିହ୍ନକୁ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି। ନିକଟରେ ରହିଛି ମା ବନଦୁର୍ଗାଙ୍କର ମଣ୍ଡପ ଓ ଶିବ ମନ୍ଦିର । ଏଠାରେ ଲକ୍ଷ୍ମୀପୂଜା, ଜାଗର, ବନଦୁର୍ଗା ପୂଜା, କଳସ ଯାତ୍ରା, ଶ୍ରାବଣ ପୂର୍ଣ୍ଣିମାରେ ଭକ୍ତଙ୍କ ଭିଡ଼ ଜମେ। ଲକ୍ଷ୍ମୀପାଦକୁ ଲାଗିରହିଥିବା ପାହାଡରେ ବଣଟଗର ବିଶେଷମାତ୍ରାରେ ମିଳୁଥିବାରୁ ସେଗୁଡିକୁ ସଂଗ୍ରହ ଏବଂ ଅନ୍ୟାନ୍ୟ ଚେରମୂଳି ଔଷଧ ସଂଗ୍ରହ ପାଇଁ ବୈଦ୍ୟ ଓ କବିରାଜମାନେ ଏଠାକୁ ଆସିଥାନ୍ତି।

ପାଦଚିହ୍ନଟି ପ୍ରାଚୀନ ହୋଇଥିଲେ ମଧ୍ୟ ଏହା ନଷ୍ଟ ହେବା ବଦଳରେ ଆହୁରି ଉଜ୍ଜ୍ବଳ ଦେଖାଯାଉଛି। ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇ ନଥିବା ଏହି ସ୍ଥଳର ଅନେକ ଐତିହ୍ୟ ଥିଲେ ହେଁ ଏଠାକୁ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଚିରସ୍ରୋତା ଝରଣା ରହିଛି। କିନ୍ତୁ ପ୍ରଶାସନ ପକ୍ଷରୁ ଭଲ କୁଣ୍ଡଟିଏ କରାଯାଇନି।

କେନ୍ଦୁଝର ସହରରୁ ମାତ୍ର ୫ କିମି ଦୂରରେ ଥିଲେ ମଧ୍ୟ ଏଠାରେ ଆଲୋକ ବ୍ୟବସ୍ଥା ହୋଇପାରି ନାହିଁ। ଲକ୍ଷ୍ମୀପାଦର ବିକାଶ ସହିତ ଉନ୍ନତମାନର ରାସ୍ତା, ଅଲୋକୀକରଣ ବ୍ୟବସ୍ଥା, ପର୍ଯ୍ୟଟନ ବିଭାଗର ମାନ୍ୟତା ଦେଇ ଏଠାକାର ସର୍ବବିଧ ବିକାଶ କରାଯାଇପାରିଲେ ଏଠାକୁ ପର୍ଯ୍ୟଟକ ଆସିବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ଲକ୍ଷ୍ମୀଙ୍କର ପାଦ ଚିହ୍ନ ଥିବା ସ୍ଥାନ ‘ଲକ୍ଷ୍ମୀପାଦ’ first appeared on Sambad.

from ଜିଲ୍ଲା | Sambad https://ift.tt/2Tayrtv