ଲରମ୍ଭା : ଆବାସ ଯୋଜନାର ବିଲ୍‌ ପାଇବାରୁ ବଞ୍ଚିତ ହୋଇଥିବା ପାଟଣାଗଡ଼ ବ୍ଲକ୍‌ ଦେଉଲଗାଁ ପଞ୍ଚାୟତ ଘୁନୁଘୁଟିପାଲି ଗାଁର ହିତାଧିକାରୀ ସୁନ୍ଦରମଣି ସାହୁ (୪୩ବର୍ଷ) ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ବ୍ଲକ୍‌ ଅଫିସ ଆଗରେ ସପରିବାର ରୋଷେଇ କରି ଧା‌ରଣା ଦେଇଥିବା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ, ସୁନ୍ଦରମଣିଙ୍କ ନାମ ୮ମାସ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଆସିଥିଲା। କିନ୍ତୁ କାର୍ଯ୍ୟାଦେଶ ମିଳି ନଥିବାରୁ ସେ ପିଇଓ ବିଜାରୁ ପ୍ରଧାନ ଓ ସରପଞ୍ଚ ସୁରେଶ ପୁଟେଲଙ୍କ ସହ ଯୋଗାଯୋଗ କରିଥିଲେ। ଉଭ‌ୟେ କାର୍ଯ୍ୟାଦେଶ ପରେ ଆସିବ, ଘର ନିର୍ମାଣ କାମ ଆରମ୍ଭ କରିଦିଅ ବୋଲି କହିଥିବା ସୁନ୍ଦରମଣି ପ୍ରକାଶ କରିଛନ୍ତି। ଏହାପରେ ସେ ଧାର କରଜ କରି ଘରକାମ ଆରମ୍ଭ କରି ଛାତ ପର୍ଯ୍ୟନ୍ତ ନିର୍ମାଣ କରିଥିଲେ। ୮ ମାସ ପରେ ବି କୌଣସି ବିଲ୍‌ ନପାଇବାରୁ ସେ ଗତ ୧୭ ତାରିଖ ଦିନ ସେ ବିଡିଓଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ। କୌଣସି ସୁଫଳ ନପାଇବାରୁ ସେ ଶୁକ୍ରବାର ତାଙ୍କ ସ୍ତ୍ରୀ ଉର ସାହୁ (୩୬), ପୁଅ ସିଦ୍ଧାନ୍ତ (୧୮), ଶ୍ରୀତମ (୧୪) ଏବଂ ଦୁର୍ଯୋଧନ (୧୨)ଙ୍କ ସହିତ ଗାଁରୁ ୧୫ କିମି ଚାଲି ଚାଲି ଆସି ବ୍ଲକ୍‌ ଅଫିସ ଆଗରେ ପହଞ୍ଚିଥିଲେ। ସେଠାରେ ସକାଳ ୧୦ଟାରୁ ଚୁଲି ଜଳାଇ ଖାଦ୍ୟ ପ୍ରସ୍ତୁତ କରି ଧାରଣାରେ ବସିଛନ୍ତି। ବିଲ୍‌ ପଇଠ ନହେବା ଯାଏ ଅଫିସ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ପିଇଓ ବିଜାରୁ ପ୍ରଧାନଙ୍କୁ ପଚାରିବାରୁ ବ୍ଲକ୍‌ ପ୍ରକଳ୍ପ ସଂଯୋଜକ କମ୍ପ୍ୟୁଟରରୁ ସୁନ୍ଦରଙ୍କ ନାମ ଲିଭାଇ ଦେଇଥିବାରୁ ସେ ବିଲ୍‌ ପାଇବାରୁ ବିଞ୍ଚିତ ହୋଇଛନ୍ତି। ଏ ସଂପର୍କରେ ବିଡିଓ ନୀଳମାଧବ ସୁନାଙ୍କୁ ପଚାରିବାରୁ ଡିଆର୍‌ଡିଏ ପିଡିଙ୍କ ସହିତ ଯୋଗାଯୋଗ କରିଛି, ଖୁବ୍‌ ଶୀଘ୍ର ସୁନ୍ଦରଙ୍କୁ ଆବାସ ଯୋଜନାର ବିଲ୍‌ ମିଳିବ ବୋଲି ସେ କହିଥିଲେ। ସଂପୃକ୍ତ ପଞ୍ଚାୟତର ଜିଓଟେଗର ଓ ଇଓ ମାସକ ମଧ୍ୟରେ ହିତାଧିକାରୀଙ୍କ ନାମ ତାଲିକାରେ ସଂଯୋଗ କରି ବିଲ୍‌ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସୁନ୍ଦରଙ୍କ ପରିବାର ଧାରଣାରୁ ଉଠିଥିଲେ।

The post ଆବାସ ଯୋଜନା ବିଲ୍‌ ପାଇବାରୁ ହିତାଧିକାରୀ ବଞ୍ଚିତ, ଚୁଲି ଜାଳି ବ୍ଲକ୍‌ ଅଫିସ ଆଗରେ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/35Q8odO