
ଚିଲିଗୁଡ଼ା : ଜୁନାଗଡ଼ ବ୍ଲକ୍ ଦାସୀଗାଁ ପେକ୍ସ ଅଧୀନରେ ଥିବା ଦାସୀଗାଁ ମଣ୍ଡିରେ ଧାନ ଉଠାଣ ଦାବିରେ ଶୁକ୍ରବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଏହି ମଣ୍ଡି ଅଧୀନରେ ଥିବା ଶତାଧିକ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡି ପରିସରରେ ଧାରଣା ଦେଇଛନ୍ତି। ଦାସୀଗାଁ ମଣ୍ଡିରେ ଟୋକନ୍ ଲାପ୍ସ ହୋଇଥିବା ୫୮ଜଣ ଚାଷୀଙ୍କ ୪୯୪୨ କୁଇଣ୍ଟାଲ ଧାନ ପଡ଼ିରହିଛି। ସେହିପରି ଟୋକନ୍ ଆସିନଥିବା ୪୯ ଚାଷୀଙ୍କ ୩୪୪୬ କୁଇଣ୍ଟାଲ ମୋଟ୍ ୧୦୭ ଜଣ ଚାଷୀଙ୍କ ୮୩୮୮ କୁଇଣ୍ଟାଲ ଧାନ ପଡ଼ିରହିଛି। ସେହିଭଳି ଚିଲକପୁର ମଣ୍ଡିରେ ଗତ ମେ ୧୭ରୁ ୧୯ ତାରିଖ ମଧ୍ୟରେ ୬୦ ଜଣ ଚାଷୀଙ୍କ ୩୫୦୦ କୁଇଣ୍ଟାଲ ଧାନ ପଡ଼ିରହିଛି। ତାଳପଦର ମଣ୍ଡିରେ ଟୋକନ ଲାପ୍ସ ହୋଇଥିବା ୭ ଜଣ ଚାଷୀଙ୍କ ୭୩୩ କୁଇଣ୍ଟାଲ ଏବଂ ଟୋକନ୍ ଆସିନଥିବା ୩ଜଣ ଚାଷୀଙ୍କ ୨୪୨ କୁଇଣ୍ଟାଲ ଧାନ ପଡ଼ିରହିଛି।
ଦାସୀଗାଁ ମଣ୍ଡି କାଗଜପତ୍ରରେ ସରକାରୀ ଭାବେ ଗତ ମେ ୧୪ ତାରିଖରେ ଆରମ୍ଭ ହୋଇଥିବା ବେଳେ ପ୍ରକୃତରେ ଏହା ମେ ୨୪ରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। ମଣ୍ଡିରେ ଧାନ ଉଠାଣ ଦାବିରେ ଚାଷୀମାନେ ଅନେକଥର ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଏହି ସମସ୍ୟାର କୌଣସି ସମାଧାନ ହୋଇପାରିନଥିଲା। ବର୍ତ୍ତମାନ ଲଘୁଚାପ ବର୍ଷାରେ ଚାଷୀର ଧାନ ଭିଜି ନଷ୍ଟ ହେବାକୁ ବସିଲାଣି। ରାଜନେତା ଓ ପ୍ରଶାସନ କେବଳ ଚାଷୀଙ୍କୁ ଆଶ୍ୱାସନା ଦେଉଛନ୍ତି। ଆଗାମୀ ଦିନରେ ନାକଚ ଟୋକନ୍ ପୁନଃ ସକ୍ରିୟ କରାନଗଲେ ଏବଂ ମଣ୍ଡିରେ ପଡ଼ିଥିବା ଧାନ ଉଠାଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚାଷୀମାନେ ଚରମ ଚେତାବନୀ ଦେଇଛନ୍ତି। କୈଳାସ ନାଗ, ପ୍ରବୀଣ ପାଣିଗ୍ରାହୀ, ପବିତ୍ର ମାଝି, ଟୁନା ନାଗ, ସୁବ୍ରତ ପାଣିଗ୍ରାହୀ, ପ୍ରମୋଦ ବେହେରା, ଶିବ ହାତୀ ପ୍ରମୁଖ ଚାଷୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ। ଏହି ପେକ୍ସ ଅଧୀନରେ ଥିବା ଗୌଡ଼ଛେଣ୍ଡିଆର ଚାଷୀମାନେ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି।
The post ଦାସୀଗାଁ ମଣ୍ଡିରେ ଚାଷୀଙ୍କ ଧାନ ଉଠାଣ ଦାବିରେ ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/2UtDDJ9
0 Comments