ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ସିର୍ଶୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଏକରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରୁ ଗଛ ଉପରେ ଏକ ଭାଲୁ ଚଡି ରହିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ଗ୍ରାମବାସୀ ଗଛତଳେ ଉପସ୍ଥିତ ଥିବା ଜଣାପଡିଛି । ଗ୍ରାମରେ ଥିବା କୁକୁର ମାନଙ୍କ ଭୟରେ ଭାଲୁଟି ଗଛରେ ଚଢ଼ି ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଏକ ଜଙ୍ଗଲୀ ଭାଲୁ ଏକରୀ ଗ୍ରାମ ଅଭିମୁଖେ ଅସୁଥିଲା। ଭାଲୁଟିକୁ ଦେଖି ଗ୍ରାମର କୁକୁର ମାନେ ଭୋ ଭୋ କରି ଭୁକିବା ସହ ଭାଲୁଟିକୁ ଗୋଡାଇବାକୁ ଲାଗିଥିଲେ। ତେବେ ଭାଲୁଟି ଗ୍ରାମ ମଧ୍ୟକୁ ପଶିବା ରାସ୍ତା ପାର୍ଶ୍ୱରେ ଥିବା ଆମ୍ବ ବଗିଚା ଭିତରକୁ ଚାଲିଯାଇ ପ୍ରାଣ ବିକଳରେ ଏକ ଆମ୍ବ ଗଛ ଉପରେ ଚଢ଼ି  ଯାଇଥିଲା । କୁକୁର ମାନେ ମଧ୍ୟ ଭାଲୁ ଚଢ଼ିଥିବା ଆମ୍ବ ଗଛ ତଳେ ରହି ଭୁକିବାକୁ ଲାଗିଥିଲେ । କିଛି ସମୟପରେ କୁକୁର ମାନେ ସେହି ସ୍ଥାନ ଛାଡି ଚାଲିଯିବା ପରେ ଭାଲୁଟି ତଳକୁ ଓହ୍ଲାଇ ଜଙ୍ଗଲ ଅଭିମୁଖେ ବାହାରିଥିଲା। ତେବେ ପୁଣିଥରେ କୁକୁର ମାନେ ଭାଲୁଟିର ଗନ୍ଧ ବାରି ଗୋାଡାଇବାକୁ ଲାଗିଥିଲେ। ତେବେ ଭାଲୁଟି ଭୟରେ ପୁଣିଥରେ ସେହି ଆମ୍ବ ଗଛ ଉପରକୁ ଚଢ଼ିଯାଇଥିବା ସୂଚନା ମିଳିଛି।

ଖବର ପାଇ ଗ୍ରାମବାସୀ ଏଭଳି ଦୃଶ୍ୟ ଦେଖିବା ପାଇଁ ଭାଲୁ ଚଢ଼ି ରହିଥିବା ଗଛମୂଳେ ଜମା ହୋଇଥିବା ଜଣାପଡିଛି। କୁକୁର ଏବଂ ଲୋକଙ୍କ ଭୟରେ ଭାଲୁ ଗଛ ଉପରେ ହିଁ ରହିଛି। କେତେବେଳେ ଯେ ଭାଲୁଟି ତଳକୁ ଓହ୍ଲାଇ ଆକ୍ରୋଶମୂଳକ ଭାବେ କାହାର କିଛି କ୍ଷତି କରିପାରେ ତାହା କହିବା ମୁସ୍କିଲ। ରିପୋର୍ଟ ଲେଖାହେବା ସୁଦ୍ଧା ଭାଲୁଟି ଆମ୍ବ ଗଛ ଉପରେ ରହିଥିବା ସୂଚନା ମିଳିଛି। ଭାଲୁଟିକୁ ଏକାନ୍ତରେ ଛାଡ଼ିଦେଇ ସେହି ସ୍ଥାନ ଖାଲି କରିଦେଲେ ସେ ଗଛରୁ ଓହ୍ଲାଇ ଜଙ୍ଗଲ ମଧ୍ୟକୁ ଚାଲିଯିବ ବୋଲି ଅନୁମାନ କରାଯାଉଛି।

The post କୁକୁର ଭୟରେ ଗଛ ଉପରେ ଚଢ଼ି ରହିଛି ଭାଲୁ, ମଜା ନେଉଛନ୍ତି ଦେଖଣାହାରୀ ଜନତା first appeared on Sambad.

from ଜିଲ୍ଲା | Sambad https://ift.tt/3iXFD6P