
ଜୟପୁର: ଭିଏତନାମରୁ ଭାରତକୁ ଆସିଥିଲା ଅକ୍ସିଜେନ୍। ଜାହାଜରୁ ଓହ୍ଲାଇବା ପରେ ବିଶାଖାପାଟଣାରୁ ଟ୍ରକ ମାଧ୍ୟରେ ଦିଲ୍ଲୀ ଯାଉଥିଲା ଅକ୍ସିଜେନ୍ ସିଲିଣ୍ଡର। ଯାହାକି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସହାୟକ ହୋଇଥାନ୍ତା। କରୋନା ମହାମାରୀ ଭଳି ପରିସ୍ଥିତିରେ ଅକ୍ସିଜେନ୍ ସିଲିଣ୍ଡର ଗାଡିକୁ ବାଦ୍ ଦେଲେନି ଗଞ୍ଜେଇ ବେପାରୀ। ଏଭଳି ଅତ୍ୟାବଶ୍ୟକ ସାମଗ୍ରୀ ତଳେ ଗଞ୍ଜେଇ କାରବାର ଆରମ୍ଭ କରିଦେଲେ। ଅକ୍ସିଜେନ୍ ସିଲିଣ୍ଡର ସହିତ ୧୨୦୦ କିଲୋଗ୍ରାମ ଗଞ୍ଜେଇ ଚାଲାଣ କରୁଥିଲେ। କିନ୍ତୁ ତାହା ସଫଳ ହେବାକୁ ଦେଇନି ଜୟପୁର ସଦର ପୁଲିସ।
ଏହି ଗାଡିକୁ ଜବତ କରିବା ସହ ସେଥିରୁ ଗଞ୍ଜେଇ ଜବତ କରାଯାଇଛି ଓ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଦ୍ବୟ ହେଲେ ପଞ୍ଜାବ ରାଜ୍ୟର ଲୁଧିଆନା ଅଞ୍ଚଳର ଯଶପାଲ୍ (୪୩) ଓ ଲଖିନ୍ଦର ସିଂ (୪୩)। ଏନେଇ ଥାନାରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜୟପୁର ଏସ୍ଡିପିଓ ଅରୂପ ଅଭିଶେଖ ବେହେରା ସୂଚନା ଦେଇଛନ୍ତି।
ବିପଦ ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଛି ଭିଏତନାମ। କରୋନା ମହାମାରୀର ଦ୍ବିତୀୟ ଲହରରେ ଭାରତରେ ଅକ୍ସିଜେନର ଅଭାବ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଭିଏତନାମ ସରାକାର କରୋନା ଭଳି ମହାମାରୀ ପରିସ୍ଥିତର ମୁକାବିଲା ପାଇଁ ଭାରତକୁ ଅକ୍ସିଜେନ ସିଲିଣ୍ଡର ପଠାଇଛି। ଭିଏତନାମ ଦେଶର ହୋଚିମିହି ସହରରୁ ଏହି ଅକ୍ସିଜେନ୍ ଭାରତକୁ ଆସୁଥିଲା। ସେହି ଅକ୍ସିଜେନ୍ ସିଲିଣ୍ଡର ବକ୍ସ ଉପରେ ହୋଚିମିହ ସହରର ଗୋଲ୍ଡେନ୍ ଲୋଟସ୍ ଇଣ୍ଟରନେସନାଲ କମ୍ପାନି ବିଷୟରେ ଲେଖାଯାଇଛି। ଏଥିସହ ଗତ ମେ ମାସ ୨୪ ତାରିଖରେ ପେକିଂ କରାଯାଇଥିବା ଜଣାପଡିଛି। ଭିଏତନାମରୁ ଏହି ଅକ୍ସିଜେନ୍ ଆଇଏନ୍ଏସ୍ ଏୖରାବତ ଜାହାଜରେ ଆସି ବିଶାଖାପାଟଣାରେ ପହଞ୍ଚିଥିଲା।
ସେଠାରୁ ତାହାକୁ ଦିଲ୍ଲୀସ୍ଥିତ ସଂସଦ ମାର୍ଗ-୧, ରେଡକ୍ରସ ରୋଡ୍କୁ ପଠାଇବା ପାଇଁ ପଞ୍ଜାବର ଏକ ଟ୍ରକ (ପିବି ୧୦ ଇଏସ୍ ୪୬୧୧)ରେ ଲୋଡ୍ କରାଯାଇଥିଲା। ଏହା ଭାରତୀୟ ରେଡକ୍ରସ ସୋସାଇଟି ପାଖରେ ପହଞ୍ଚିବା ପରେ ବିଭିନ୍ନ ହସ୍ପିଟାଲରେ ଲୋକଙ୍କ ଜୀବନ ରକ୍ଷା କରାଯିବା ଉଦ୍ଦେଶ୍ୟ ରହିଥିଲା। ଏଥିସହ ଯୋଗାଯୋଗ ପାଇଁ ଭିଏତନାମର ଆର. ଓ. ସୁନୀଲ ବାବୁ ଓ ଭାରତର ଡଃ. ଭନଶ୍ରୀ ସିଂଙ୍କ ନମ୍ବର ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ଏହାପରେ ଅକ୍ସିଜେନ ସିଲିଣ୍ଡରକୁ ନେଇ ଟ୍ରକ ଦିଲ୍ଲୀ ଅଭିମୁଖେ ଗତକାଲି ବାହାରିଥିଲା। ସେଥିରେ ପାଖାପାଖି ୧୫୦ଟି ସିଲିଣ୍ଡର ରହିଥିବା ଜଣାପଡିଛି।
ଅଭିଯୁକ୍ତମାନଙ୍କ କହିବାନୁଯାୟୀ, ଓଡିଶା ବୋର୍ଡର ଭିତରେ ପ୍ରବେଶ ପରେ ଘାଟି ଅତିକ୍ରମ ପରେ ସେହି ଅଞ୍ଚଳରେ କିଛି ଯୁବକ ଗାଡିକୁ ଅଟକାଇଥିଲେ। କିଛି ସାମଗ୍ରୀ ଆପଣଙ୍କ ଗାଡିରେ ଲକ୍ଷ୍ନୌ ପଠାଇବାର ଅଛି କହି ଟ୍ରକରେ ଲୋଡ୍ କରିଥିଲେ। ଏହିପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ସେମାନେ କହିଥିଲେ। କିନ୍ତୁ ଅକ୍ସିଜେନ୍ ଗାଡି ସେଠାରେ ରହିଲା କେମିତି ଓ ଗାଡିରେ ଏତେ ପରିମାଣର ଗଞ୍ଜେଇ ଲୋଡ୍ ହେଲା କେମିତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବକ୍ସରୁ ଅକ୍ସିଜେନ୍ ସିଲିଣ୍ଡରକୁ ବାହାର କରିଥିଲେ ଏହାପରେ ୧୨ କ୍ବିଣ୍ଟାଲରୁ ଅଧିକ ପରିମାଣରେ ଗଞ୍ଜେଇ ଟ୍ରକରେ ରଖିଥିଲେ। ଏହା ଉପରେ ଅକ୍ସିଜେନ୍ ସିଲିଣ୍ଡରକୁ ଆଚ୍ଛାଦିତ କରି ରଖିଥିଲେ, ଯେପରି ଯିବା ବେଳେ ଏହାକୁ କେହି ଦେଖି ନପାରିବ। କିନ୍ତୁ ବିଶେଷ ସୁତ୍ରରୁ ଖବର ପାଇଁ ଗତକାଲି ସନ୍ଧ୍ୟାରେ ଜୟପୁର ସଦର ପୁଲିସ ଅପେକ୍ଷା କରି ରହିଥିଲେ।
କୋରାପୁଟ ଜୟପୁର ଘାଟି ରାସ୍ତାରେ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିଲେ। ସେହି ସମୟରେ ଏହି ଗାଡିକୁ ଯାଞ୍ଚ କରିବାରୁ ଅକ୍ସିଜେନ୍ ସିଲିଣ୍ଡର ତଳେ ଗଞ୍ଜେଇ ରହିଥିବାର ଜଣାପଡିଥିଲା। ତାହାକୁ ଓଜନ କରିବାରୁ ସେଥିରେ ୧୨୭୭ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା ଯାହାର ମୂଲ୍ୟ ପାଖାପାଖି ୧ କୋଟି ୧୦ ଲକ୍ଷ ଟଙ୍କାର ବୋଲି ଜଣାପଡିଛି। ଏନେଇ ଥାନାରେ ୧୦୪/୨୧ ନମ୍ବରରେ ମାମଲା ରୁଜୁ କରାଯାଇ ଟ୍ରକ ଓ ୨ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି। ଏନେଇ ଉକ୍ତ ଟ୍ରାନ୍ସପୋର୍ଟ କମ୍ପାନିକୁ ସୂଚନା ଦିଆଯାଇଛି, ସେଠାରୁ ଅନ୍ୟ ଏକ ଗାଡି ଆସିବା ପରେ କାଗଜପତ୍ର ଯାଞ୍ଚ କରି ଅକ୍ସିଜେନକୁ ପଠାଯିବ ବୋଲି ଏସ୍ଡିପିଓ କହିଛନ୍ତି।
The post ଭିଏତନାମରୁ ଦିଲ୍ଲୀ ଯାଉଥିଲା ଅକ୍ସିଜେନ୍; ଅକ୍ସିଜେନ୍ ସିଲିଣ୍ଡର ତଳେ ୧୨ କ୍ବିଣ୍ଟାଲ ଗଞ୍ଜେଇ first appeared on Sambad.from ଜିଲ୍ଲା | Sambad https://ift.tt/3guhQZd
0 Comments