ଔପଦା : କୁକୁଡ଼ା ଫାର୍ମ ମାଲିକଙ୍କ ଖାମଖିଆଲ ନୀତି ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଧି ଗ୍ରାମରେ।

ସୂଚନା ଅନୁସାରେ ଔପଦା ଥାନା ଅଘିରାପଦା ପଞ୍ଚାୟତ କମାରପାଳ ଗ୍ରାମର ସୁଶାନ୍ତ କୁମାର ଜେନାଙ୍କର ବଧି ଗ୍ରାମରେ ଏକ କୁକୁଡ଼ା ଫାର୍ମ ରହିଛି। ଏହି ଫାର୍ମରେ ସୋର ଥାନା ବାଗୁଡି ଗୋପାଳପୁର ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳକ ଶ୍ରମିକ ଭାବେ କାମ କରୁଥିଲେ। କୁକୁଡ଼ାଙ୍କୁ ସୁରକ୍ଷିତ ରଖିବା ପାଇଁ ଫାର୍ମ ମାଲିକ ଶ୍ରୀ ଜେନା ଫାର୍ମ ଚାରିପାଖ ବିଦ୍ୟୁତ୍ ଚାର୍ଜ କରି ରଖିଥିବା ବେଳେ ବୁଧବାର ଅପରାହ୍ନରେ ବର୍ଷା ଆସିବାରୁ ଫାର୍ମ ଚାରି ପାଖ ତମ୍ବୁ ଢାଙ୍କିବା ପାଇଁ ନାବାଳକ ଜଣକ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଔପଦା ଥାନା ଆଇଆଇସି  ନାବାଳକଙ୍କ ମୃତଦେହ ସୋର ମେଡିକାଲ ପଠାଇଛନ୍ତି। ଏ ଯାଏ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ନାବାଳକଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଲୋକ ପାଇନାହାନ୍ତି। ତେବେ କୁକୁଡ଼ା ଫାର୍ମ ମାଲିକଙ୍କ ଦାୟିତ୍ବହୀନତା ପାଇଁ ନାବାଳକଙ୍କ ଜୀବନ ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

The post ବିଦ୍ୟୁତ୍ ଆଘାତରେ ନାବାଳକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3dVXGqu