
ଖୋର୍ଦ୍ଧା: ଜିଲ୍ଲାରେ ଖରିଫ ଋତୁରେ ୧ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। ଚଳିତ ବର୍ଷ ମୌସୁମୀରେ ଆବଶ୍ୟକ ବର୍ଷା ଅଭାବରୁ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଅର୍ଦ୍ଧାଧିକ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଥିଲା। ଜିଲ୍ଲାରେ ସାର ବିକ୍ରିର ସ୍ଥିତିକୁ ଦେଖିଲେ ଏହି କଥା ପ୍ରାୟତଃ ସ୍ପଷ୍ଟ ହୋଇଛି। ଜିଲ୍ଲା ପାଇଁ ପ୍ରାୟ ୧୫ ହଜାର ମେଟ୍ରିକ୍ ଟନ୍ର ବିିଭିନ୍ନ ରସାୟନ ସାରର ଆବଶ୍ୟକତା ଥିବା ବେଳେ ଗତ ୩ ମାସ ମଧ୍ୟରେ ମାତ୍ର ୩୫ ପ୍ରତିଶତ ସାର ବିକ୍ରି ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ୩ଟି କୃଷି ଜିଲ୍ଲାରେ ବିଭକ୍ତ କରାଯାଇଛି। ଭୁବନେଶ୍ୱର, ଖୋର୍ଦ୍ଧା ଓ ଟାଙ୍ଗୀ। ଭୁବନେଶ୍ୱର କୃଷି ଜିଲ୍ଲା ଅଧୀନରେ ବାଲିପାଟଣା, ବାଲିଅନ୍ତା, ଭୁବନେଶ୍ୱର, ଜଟଣୀ ବ୍ଲକ ରହିଥିବା ବେଳେ ଖୋର୍ଦ୍ଧା କୃଷି ଜିଲ୍ଲା ଅଧୀନରେ ବେଗୁନିଆ, ବୋଲଗଡ଼ ଓ ଖୋର୍ଦ୍ଧା ବ୍ଲକ, ଟାଙ୍ଗୀ କୃଷି ଜିଲ୍ଲା ଅଧୀନରେ ଚିଲିକା, ବାଣପୁର ଓ ଟାଙ୍ଗୀ ରହିଛି। ୩ଟି କୃଷି ଜିଲ୍ଲାରେ ଖରିଫ ଋତୁରେ ୧ଲକ୍ଷ ୬ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ପ୍ରାୟ ୧୫ହଜାର ମେଟ୍ରିକ୍ ଟନ୍ ରସାୟନିକ ସାର ବ୍ୟବହୃତ ହୋଇଥାଏ।
ସମବାୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ସଂପୂର୍ଣ୍ଣ ଜିଲ୍ଲା ପାଇଁ ଖରିଫ ଋତୁରେ ୮ହଜାର ମେଟ୍ରିକ୍ ଟନ୍ ୟୁରିଆ, ୨ହଜାର ମେଟ୍ରିକ୍ ଟନ୍ ଡିଏପି, ୩,୩୦୦ ମେଟ୍ରିକ୍ ଟନ୍ ଏନ୍ପିକେଏସ୍ (ନାଇଟ୍ରୋଜେନ୍, ଫସ୍ଫରସ, ପୋଟାସିୟମ), ୧,୮୦୦ ମେଟ୍ରିକ୍ ଟନ୍ ଏମ୍ଓପି (ମ୍ୟୁରିଅଟ୍ ଅଫ୍ ପଟାସ୍) ଆବଶ୍ୟକତା ପାଇଁ କୃଷି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ତେବେ ୧ ଏପ୍ରିଲ୍ ୨୪ ଜୁଲାଇ ୨୦୨୧ ମଧ୍ୟରେ ୨୨୪୦.୩୭ ମେଟ୍ରିକ୍ ଟନ୍ ୟୁରିଆ, ୬୮୦.୫୭ ଡିଏପି, ୧୨୧୪.୭୪ ମେଟ୍ରିକ୍ ଟନ୍ ଏନ୍ପିକେଏସ୍, ୮୯୧.୮୫ ମେଟ୍ରିକ୍ ଟନ୍ ମ୍ୟୁରିଅଟ୍ ପଟାସ୍ ବିକ୍ରି ହୋଇଛି।
ଅର୍ଥାତ୍, ଜିଲ୍ଲା ପାଇଁ ୧୫,୧୦୦ ମେଟ୍ରିକ୍ ଟନ୍ ରସାୟନିକ ସାର ଆବଶ୍ୟକ ଥିବା ବେଳେ ଆଜି ସୁଦ୍ଧା ୫୦୨୭. ୫୩ କ୍ୱିଣ୍ଟାଲ, ଆବଶ୍ୟକତା ୩୫ ପ୍ରତିଶତ ସାର ବିକ୍ରି ହୋଇଛି। ରସାୟନ ସାର ବିକ୍ରି ପାଇଁ ୨୧୮ ଜଣ ରିଟେଲରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ନିକଟରେ ବର୍ତ୍ତମାନ ୨୪୨୮. ୯୯ ମେଟ୍ରିକ୍ ଟନ୍ ୟୁରିଆ, ୩୧୧.୭୮ ଏମ୍ଟି ଡିଏପି, ୬୩୭. ୯୬ ଏମ୍ଟି ଏନ୍ପିକେଏସ୍ ମହଜୁଦ୍ ରହିଥିବା ରାଜ୍ୟ ସମବାୟ ଓ ମାର୍କଫେଡ୍ ପକ୍ଷରୁ ଜଣାଯାଇଛି।
ମାର୍କଫେଡ୍ ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସ ପାଇଁ ଜାରି କରିଥିବା ନିୟମାନୁସାରେ, ଆଇପିଏଲ୍ ସାର ପିଏସି/ଲ୍ୟାମ୍ପ୍ ଓ ଖୁଚୁରା ଦୋକାନୀଙ୍କ ପାଇଁ ଏମ୍ଓପି ପ୍ରତି ମେଟ୍ରିକ୍ ଟନ୍ ପିଛା (ଜିଏସ୍ଟି ସହ) ସର୍ବାଧିକ ଖୁଚୁରା ଦର ୨୦ ହଜାର ଟଙ୍କାରେ ବିକ୍ରି କରିପାରିବେ। ସେହିଭଳି ଡିଏପି ୨୪,୦୦୦ ଟଙ୍କା, ୟୁରିଆ ୪୫ କିଗ୍ରା ୫୯୨୨. ୨୩ ଟଙ୍କା, ଏନ୍ପିକେ(ପୁରୁଣା) ୨୨, ୫୦୦ ଟଙ୍କା ଓ ଏନ୍ପିକେ (ନୂଆ) ୨୪, ୨୦୦ଟଙ୍କା ପ୍ରତି ମେଟ୍ରିକ୍ ଟନ୍ ପିଛା ଧାର୍ଯ୍ୟ କରାଯାଇଛି। ସେହିଭଳି, ପିଏସି/ଲ୍ୟାମ୍ପ୍ ଓ ଖୁଚୁରା ଦୋକାନୀଙ୍କ ପାଇଁ ପିପିଏଲ୍ ସାର ଡିଏପିର ସର୍ବାଧିକ ଖୁଚୁରା ଦର ୨୪, ୦୦୦ ଟଙ୍କା, ଏନ୍ପିକେ ୨୧, ୮୦୦ରୁ ୨୭, ୫୦୦ ଟଙ୍କା, ଏନ୍ପିକେ (୨୦:୨୦:୦:୧୩ ନୂଆ) ୨୩, ୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସହ ଚାଷୀ କେଉଁ ଦରରେ କିଣିବେ ସେ ତାଲିକା ପ୍ରତି ଦୋକାନୀ/ପିଏସି ନିଜ ନିଜର ଦୋକାନ ଓ କାର୍ଯ୍ୟାଳୟ ସମ୍ମୁଖରେ ଲଗାଇବା ବାଧ୍ୟତାମୂଳକ। ଏହି ଦର ଠାରୁ ଅଧିକ ଦରରେ ବିକ୍ରି କରିବା ସୂଚନା ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମବାୟ ବିଭାଗ ପକ୍ଷରୁ କୁହାଯାଇଛି।
The post ଧିମେଇଛି ଧାନ ଚାଷ; ଖୋର୍ଦ୍ଧା ଜିଲ୍ଲାରେ ୩ ମାସରେ ଆବଶ୍ୟକତାରୁ ୩୫ ପ୍ରତିଶତ ସାର ବିକ୍ରି first appeared on Sambad.from ଜିଲ୍ଲା | Sambad https://ift.tt/3BMl3xl
0 Comments