ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଚେରୀକୁ ଲାଗି ରାସ୍ତା କଡ଼ରେ ରହିଥିବା ୬୪ଟି ଦୋକାନକୁ ହଟାଇବାକୁ ପୌର ପ୍ରଶାସନ ନିଷ୍ପତ୍ତି ନେଇଛି। ବହୁ ବର୍ଷ ହେଲା ଡାକ୍ତରଖାନା ଛକରୁ ଶଙ୍କରା ଯାଏ ଟ୍ରାଫିକ ସମସ୍ୟା ଲାଗିଥିବା ଅଭିଯୋଗ ରହିଛି। ବିଶେଷ କରି ଡାକ୍ତରଖାନା ଆସୁଥିବା ରୋଗୀ ଓ ଆମ୍ବୁଲାନ୍ସ ଚଳାଚଳରେ ବହୁତ ଅସୁବିଧା ଦେଖାଦେବା, ବହୁ ସମୟରେ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମରେ ଫସି ଅଭାବନୀୟ ପରିସ୍ଥିତ ସୃଷ୍ଟି ହେବା ଘଟଣାକ୍ରମରେ ରାସ୍ତା ଚଉଡ଼ା ଓ ଡାକ୍ତରଖାନା ସମ୍ମୁଖ ଭାଗକୁ ଟ୍ରାଫିକ ମୁକ୍ତ କରିବାକୁ ଦୋକାନଗୁଡ଼ିକୁ ହଟାଇବା ଜରୁରୀ ବୋଲି ପ୍ରଶାସନ ପ୍ରକାଶ କରିଛି।

ତେବେ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଦୋକାନୀମାନେ ସୋମବାର ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛନ୍ତି। ହସ୍ପିଟାଲ ପାଚେରିକଡ଼କୁ ଲାଗି ରହିଥିବା ଦୋକାନକୁ ଉଚ୍ଛେଦ କରିବା ନିଷ୍ପତ୍ତି ଏକପାଖିଆ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରକୃତରେ ରାସ୍ତାର ଉଭୟ ପାର୍ଶ୍ବରେ ଗଢ଼ି ଉଠିଥିବା ଦୋକାନ, କୋଠା ପାଇଁ ହସ୍ପିଟାଲ ଛକର ଟ୍ରାଫିକ ସମସ୍ୟା ଦେଖା ଦେଇଛି। ରାସ୍ତାରେ ବାମ ପାର୍ଶ୍ବରେ ପୂର୍ବ ସିଲାଇନ୍ ହୋଟେଲ କୋଠା ଠାରୁ ବିଜୟା ଟକିଜ ରୋଡ ଛକ ଯାଏ ବିଭିନ୍ନ ସୋରୁମ୍, ଦୋକାନ ମଧ୍ୟ ସରକାରୀ ଜାଗା ଜବରଦଖଲ କରିଛନ୍ତି। ପୌରପାଳିକା ପୂର୍ତ୍ତ ରାସ୍ତା ଉପରେ ଡ୍ରେନ ତିଆରି କରିଥିବା ବେଳେ ତା’ ପଛକୁ ବହୁ ରାଜସ୍ବ ଜମି ରହିଛି। ଦୋକାନୀମାନେ ବହୁ ଭାଗରେ ତାକୁ ବ୍ୟବହାର କରୁଥିବା ବେଳେ ଗାଡ଼ିଗୁଡ଼ିକ ଡ୍ରେନ ଏପଟେ ରାସ୍ତାରେ ପାର୍କିଂ କରୁଛନ୍ତି। ତେଣୁ ସେ ସବୁ ଜବରଦଖଲ ହଟାଇ ଡ୍ରେନକୁ ଆହୁରି ପଛକୁ ରାଜସ୍ବ ଜମି ଉପରକୁ ଉଠାଇ ନେଇ ରାସ୍ତା ଚଉଡ଼ା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଏହିକ୍ରମରେ ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ, ୨୦ ବର୍ଷ ତଳେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଏଠାରେ ଜାଗା ଆବଣ୍ଟନ କରିବା ପରେ ସେମାନେ ନିଜ ଖର୍ଚ୍ଚରେ ଦୋକାନଗୃହ ନିର୍ମାଣ କରିଥିଲେ। ଏସ୍ଥିତିରେ ଏଠାରୁ ହଟାଇ ଏବେ ପୌରପାଳିକା ପକ୍ଷରୁ ନାରୀକଲ୍ୟାଣ କେନ୍ଦ୍ର ଓ ଶଙ୍କରା କଲ୍ୟାଣ ମଣ୍ଡପ ଠାରେ ନିର୍ମିତ ନୂଆ ଦୋକାନଗୃହ ସେମାନଙ୍କୁ ଆବଣ୍ଟିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନ୍ୟାୟପୂର୍ଣ୍ଣ ଏଗ୍ରିମେଣ୍ଟ ହେବ କି ନାହିଁ ସେ ନେଇ ଆଶଙ୍କା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ସେହିପରି ଦୀର୍ଘ ଦେଢ଼ ବର୍ଷ ହେଲା, କରୋନା ପାଇଁ ବାରମ୍ବାର ତାଲାବନ୍ଦ ଯୋଗୁଁ ବେପାର ବନ୍ଦ ରହିଥିବା ବେଳେ ଠିକ୍ ଭାବେ ବିଦ୍ୟୁତ୍ ବିଲ ପୈଠ ହୋଇ ନାହିଁ। ଏବେ ନୂଆ ଦୋକାନରେ ବିଦ୍ୟୁତ ସଂଯୋଗ ପାଇଁ ୧୦ ହଜାର ଟଙ୍କା ଆଗ୍ରୀମ ସିକ୍ୟୁରିଟି ଜମା କରିବାକୁ ପଡ଼ିବ। ଏସବୁ ସମସ୍ୟା ଭିତରେ ଦୋକାନ ହଟାଇବା ପୂର୍ବରୁ ନୂଆ ପୌର ଦୋକାନଗୃହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ବିଧିବଦ୍ଧ ଭାବେ ଆବଣ୍ଟିତ କରିବାକୁ ସେମାନେ ଦାବି କରିଛନ୍ତି।

The post ହସ୍ପିଟାଲ ଛକ ୬୪ ଦୋକାନ ଉଚ୍ଛେଦ ନିଷ୍ପତ୍ତି ମାମଲା: ସୋରୁମ୍, ଧନୀଙ୍କ କୋଠା ଜବରଦଖଲକୁ ନଜର ନାହିଁ; ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଦୋକାନୀ  first appeared on Sambad.

from ଜିଲ୍ଲା | Sambad https://ift.tt/2VbRRik