କଟକ: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଗଜପତି ଏସ୍‌ପି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ପୁଲିସ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବ ବୋଲି ଆଶାନାହିଁ। ଏଭଳି ସ୍ଥିତିରେ ଘଟଣାର ସ୍ବାଧୀନ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଉ। ନଚେତ୍‌ ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ତତ୍ତ୍ବାବଧାନରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଘଟଣାର ସ୍ବାଧୀନ ତଦନ୍ତ ଦ୍ବାରା ସୌମ୍ୟରଂଜନଙ୍କ ମୃତ୍ୟୁ ପଛରେ ରହିଥିବା ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ‌ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ଶାଳଚୁଆ/ନବରଙ୍ଗପୁର: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ଏ ସବୁ ଭିତରେ ସାମ୍‌ନାକୁ ଆସିଛନ୍ତି ବିଦ୍ୟାଭାରତୀଙ୍କୁ ବଲାଙ୍ଗୀରରୁ ଆଣିବାକୁ ଯାଇଥିବା ଘରୋଇ କାର୍‌ ଡ୍ରାଇଭର କାର୍ତ୍ତିକ ନାୟକ ଓ ତାଙ୍କ ସହପାଠୀ ଅକ୍ଷୟ।

କପ୍ତିପଦା ବ୍ଲକ୍‌ ବଡ଼ଖଲାଡ଼ି ଗ୍ରାମର ବାସିନ୍ଦା କାର୍ତ୍ତିକ କହିଛନ୍ତି, ଏପ୍ରିଲ୍ ୧୩ ତାରିଖରେ ସେ କପ୍ତିପଦାରୁ ବିଦ୍ୟାଭାରତୀଙ୍କ ବାପା, ମା’ଙ୍କୁ ନେଇ ବଲାଙ୍ଗୀର ଯାଇଥିଲେ। ବିଦ୍ୟାଭାରତୀଙ୍କ ଟ୍ରେନିଂ ସେଣ୍ଟରରେ ଭୋଜି ସରିବା ପରେ ବିଦ୍ୟାଭାରତୀ, ସୌମ୍ୟରଞ୍ଜନ ଓ ସୌମ୍ୟଙ୍କ ଶାଶୂ, ଶ୍ବଶୁର ସେହି କାର୍‌ରେ ସାଙ୍ଗ ହୋଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ଼ଗାଁକୁ ଫେରିଥିଲେ। କାର୍ତ୍ତିକଙ୍କ କହିବା କଥା ସେଦିନ ସମସ୍ତେ ବେଶ୍ ଖୁସିଥିଲେ ଓ ଗାଡ଼ି ଭିତରେ ସେମିତି କିଛି ଘଟିନଥିଲା। ବଲାଙ୍ଗୀରରୁ ଆସିବା ପରେ ଶ୍ବଶୁର ଘର ଗୌଡ଼ଗାଁରେ ୬ରୁ ୭ ଦିନ ରହିଥିଲେ ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ। ୨୨ ତାରିଖ ସୁଦଶା ବ୍ରତ ପୂର୍ବ ଦିନ କାର୍ତ୍ତିକଙ୍କୁ ପୁଣି ଡାକରା ଆସିଥିଲା। ସେ ସୌମ୍ୟ ଓ ବିଦ୍ୟାଭାରତୀଙ୍କୁ ଗାଡ଼ିରେ ନେଇ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ଛାଡ଼ିଥିଲେ। ପହଞ୍ଚିବା ବେଳକୁ ରାତି ହୋଇଯିବାରୁ ସେଦିନ କ୍ବାର୍ଟରରେ ରହିଯିବାକୁ ତାଙ୍କୁ କହିଥିଲେ ସୌମ୍ୟରଞ୍ଜନ। କାର୍ତ୍ତିକଙ୍କ କହିବା‌ କଥା, ସେ ଯେତିକି ସମୟ ଉଭୟଙ୍କ ସହ ଥିଲେ ସେମାନଙ୍କ ଭିତରେ ବେଶ୍‌ ଭଲ ସଂପର୍କ ଥିବା ଜଣାପଡ଼ୁଥିଲା।

ଅନ୍ୟପକ୍ଷରେ, ଏହି ମାମଲାରେ ଅକ୍ଷୟଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ବିଦ୍ୟାଭାରତୀଙ୍କ ହାତଲେଖା ଚିଠିରେ ଉଲ୍ଲେଖ ଥିବା ଅକ୍ଷୟ କିଏ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ ବିଦ୍ୟାଭାରତୀଙ୍କ ସହପାଠୀ ନବରଙ୍ଗପୁରର ଅକ୍ଷୟ ଜଗତ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଅକ୍ଷୟ କହିବା ଅନୁସାରେ, ବଲାଙ୍ଗୀରସ୍ଥିତ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ପଢ଼ୁଥିଲା ବେଳେ ବିଦ୍ୟାଭାରତୀ ବି ସେଠାରେ ପଢ଼ୁଥିଲେ। ତା’ ପୂର୍ବରୁ ସେ ବିଦ୍ୟାଭାରତୀଙ୍କୁ ଜାଣିନଥିଲେ। ଏଲଆଇଟିସି ବଲାଙ୍ଗୀରରେ ସେ ଜଣେ ହିଁ ଅକ୍ଷୟ କୁମାର ଜଗତ ରହିଥିଲେ। ସେ କେଉଁ ଅକ୍ଷୟଙ୍କ ନାମ ଲେଖିଛନ୍ତି ସେ ଜାଣିନାହାନ୍ତି। କଲେଜରେ ପଢ଼ିବା ‌ସମୟରେ ସେ ବିଦ୍ୟାଭାରତୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ପାଠ ସଂକ୍ରାନ୍ତୀୟ କପି ଦିଆନିଆ ହୋଇଥିଲା। ତେବେ କରୋନା ପର ଠାରୁ ବିଦ୍ୟାଭାରତୀଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଅକ୍ଷୟ କୁମାର ଜଗତ।

The post ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/376S1dn