ପୁରୀ: ସଂଗ୍ରହାଳୟରେ ରହିବନି ମହପ୍ରଭୁଙ୍କ ତିନି ଐତିହାସିକ ରଥ। ପ୍ରତିବର୍ଷ ଭଳି ଗତବର୍ଷର ଏହି ତିନି ରଥର ଅଂଶକୁ ପରିଚାଳନା କମିଟିର ଧାର୍ଯ୍ୟ ଦରରେ ବିକ୍ରି କରି ଦିଆଯିବ। ବ‌ାକି ଅଂଶ ଶ୍ରୀମନ୍ଦିର ରୋଷ ଘରେ କୋଠଭୋଗ ପ୍ରସ୍ତୁତିରେ ଲାଗିବ। ତିନି ରଥର ସଂରକ୍ଷଣ ନେଇ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ପ୍ରସ୍ତାବ ଦେଇଥିଲା, ତାକୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଷୟିକ କମିଟି ଖାରଜ କରିଦେଇଛି। ଜାଗା ଅଭାବର କାରଣ ଦର୍ଶାଇ ଏହି ପ୍ରସ୍ତାବକୁ ଖାରଜ କରି ଦେଇଛି ବୈଷୟିକ କମିଟି। ଯେଉଁଥିପାଇଁ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହି ଐତିହାସିକ ତିନି ରଥର ସଂରକ୍ଷଣ ନିଷ୍ପତ୍ତି‌ ସ୍ବପ୍ନ ଅଧୁରା ରହିଯାଇଛି। ବୈଷୟିକ କମିଟିର ଏହି ନିଷ୍ପତ୍ତି ବି ଭକ୍ତ ମହଲକୁ ଶକ୍ତ ଆଘାତ ଦେଇଛି। ଏହା ପରେ ତିନି ରଥର ଅଂଶକୁ ଜେଲ୍‌ ରୋଡ୍‌ ନବନିର୍ମିତ ଭକ୍ତ ନିବାସ ଭିତରେ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି।

ଗତବର୍ଷ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିଲା ଐତିହାସିକ ରଥଯାତ୍ରା। କୋଭିଡ୍‌ଜନିତ କଟକଣା ଭିତରେ ମାନ୍ୟବର ସୁପ୍ରିମକୋର୍ଟ ଯେଉଁଠି ସାରା ଦେଶରେ ରଥଯାତ୍ରା ଆୟୋଜନ ଉପରେ କଟକଣା ଲଗାଇଥିଲେ, ସେଠି କେବଳ ଏକମାତ୍ର ଆଦିକ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଆୟୋଜନକୁ ଅନୁମତି ମିଳିଥିଲ। ତାହା ପୁଣି ସଂପୂର୍ଣ୍ଣ କଟକଣା ଭିତରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ କିଛି ଦିନର କାଦୁଅ ଫିଙ୍ଗା ଭିତରେ ଦିନକ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ଆୟୋଜନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପସ୍ଥିତିରେ ମାମଲାର ବିଚାର ପରେ ଏହି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଅନ୍ୟପଟେ ଏହି ରଥଯାତ୍ରା ଥିଲା ବିରଳ ଓ ଐତିହାସିକ। ଯେଉଁଠି ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ତିନି ରଥ ଗଡ଼ିଥାଏ, ସେଠି କେବଳ ସେବାୟତ ହିଁ ରଥ ଟାଣିଥିଲେ। ବିଶ୍ବପ୍ରସିଦ୍ଧ ଏହି ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ବଡ଼ଦାଣ୍ଡ ସମେତ ପୁରୀ ସହରରେ ରାତି ଅଧିଆ କର୍ଫ୍ୟୁ ଲଗାଇ ରଥ ଟାଣିବାର ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ। ଯେଉଁ ସେବାୟତ ରଥ ଉପରେ ବସୁଥିଲେ, ସେମାନେ ବଡ଼ଦାଣ୍ଡରେ ଖାଲି ପାଦରେ ତିନି ରଥକୁ ଟାଣିଥିଲେ।

ଏହି ବିରଳ ରଥଯାତ୍ରାର ସ୍ମୃତିକୁ ସାଇତି ରଖିବା ପାଇଁ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ତିନି ରଥକୁ ଅକ୍ଷତ ସାଇତି ରଖିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟ ପରିସରରେ ତିନି ରଥକୁ ସାଇତି ରଖିବାକୁ ନିଷ୍ପତ୍ତି ହୋଇଥିଲା। ପରିଚାଳନା କମିଟିର ପ୍ରସ୍ତାବକ୍ରମେ ଏହାର ଏକ ଚିଠି ବି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଷୟିକ କମିଟି ଏହାକୁ ନାକଚ କରି ଦେଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନର ଏହି ପ୍ରସ୍ତାବ ପଠାଯିବ ପରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପାଇଁ ବରିଷ୍ଠ ବିଶେଷଜ୍ଞ ଏନ ସି ପାଲଙ୍କ ନେତୃତ୍ବରେ ଗଠିତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଷୟିକ କମିଟି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ।

ତିନି ରଥର ଉଚ୍ଚତା ଓ ଚଉଡ଼ାକୁ ଦେଖିଲେ ଯଥେଷ୍ଟ ଜାଗା ବି ଆବଶ୍ୟକ ରହିଛି। ସଂଗ୍ରହାଳୟରେ ରଖିବାକୁ ଏତେ ଜାଗା ନଥିବାରୁ ବୈଷୟିକ କମିଟି ଏହାକୁ ଖାରଜ କରି ଦେଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ତିନି ରଥର ସଂରକ୍ଷଣ ନେଇ ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ବନ୍ଦ କରି ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟପଟେ ତିନି ରଥର ସଂରକ୍ଷଣ ପ୍ରସ୍ତାବ ଖାରଜ ପରେ ପ୍ରତିବର୍ଷର ରଥ ଭଳି ତିନି ରଥର ଚକ, ପ୍ରଭା, ଗୁଜ ଆଦିକୁ ପରିଚାଳନା କମିଟି ଧାର୍ଯ୍ୟ ଦର ଅନୁସାରେ ବିକ୍ରି ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖାଯାଇଛି। ବାକି ଯେଉଁ ଅଂଶ ବିକ୍ରି ନ ହେବ, ସେସବୁକୁ ଶ୍ରୀମନ୍ଦିର ରୋଷଘରକୁ ପଠାଯାଉଛି। କୋଠଭୋଗ ପ୍ରସ୍ତୁତିରେ ଏହା ବ୍ୟବହାର କରାଯାଉଛି।

The post ଅଧୁରା ରହିଲା ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷଣ ଯୋଜନା, ସଂଗ୍ରହାଳୟରେ ରହିବନି ମହାପ୍ରଭୁଙ୍କ ତିନି ରଥ first appeared on Sambad.

from ଜିଲ୍ଲା | Sambad https://ift.tt/2Wk0Hei