ଦଶପଲ୍ଲା : ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ତଥା ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ଶାଳଭଙ୍ଗା ଜଙ୍ଗଲରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା କଲରାପତରିଆ ବାଘର ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ଦାହ-ସତ୍କାର କରାଯାଇଛି।

ଆଞ୍ଚିଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍) ଡ. ପ୍ରଦୀପ ରାଜ୍ କରାଟଙ୍କ ଉପସ୍ଥିତିରେ ପଶୁ ଚିକିତ୍ସା କେନ୍ଦ୍ରର ଏକ ୫ ଜଣିଆ ଟିମ୍ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଥିବା ଜବତ ମାଲ୍‌ଖାନା ଗୃହ ମଧ୍ୟରେ ମୃତ ବାଘଟିକୁ ବ୍ୟବଚ୍ଛେଦ କରିଥିଲେ। ଯେଉଁଥିରେ ଦଶପଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଡା. ନିହାର ରଂଜନ ସାମନ୍ତରାୟ, ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ଡା. ରଂଜିତା ପଟ୍ଟନାୟକ, ଖଣ୍ତପଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଡା. ଲିକେଶ କାନୁନଗୋ, ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ଡା. ସୁଦାମ ଚନ୍ଦ୍ର ସାହୁ ଏବଂ ବାଣିଗୋଛା ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସକ ଡା. ସତ୍ୟପ୍ରକାଶ ଦ୍ବିବେଦୀ ମୃତବାଘର ବ୍ୟବଚ୍ଛେଦ କରିଛନ୍ତି। ତେବେ ବାଘଟି ଦୁର୍ଘଟଣା ହେତୁ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ମୃତବାଘର ବୟସ ପ୍ରାୟ ୧ ବର୍ଷ ହୋଇଥିବା ବେଳେ ଏହାର ଓଜନ ୬୦ରୁ ୭୦ କିଲୋ ହୋଇଥିବା କୁହାଯାଉଛି।

ଶବ ବ୍ୟବଚ୍ଛେଦ ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବାଘଟିର ଦାହ-ସତ୍କାର କରାଯାଇଛି, ଯେଉଁଥିରେ ଏସିଏଫ୍ ଶୁଭଦର୍ଶିନୀ ସାହୁ, ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଏହି ବ୍ୟବଚ୍ଛେଦ ରିପୋର୍ଟ ଜାତୀୟ ବ୍ୟାଘ୍ର ସଂରକ୍ଷକ ପ୍ରକଳ୍ପକୁ ପ୍ରଦାନ କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ଏପଟେ ଦୁର୍ଲ୍ଲଭ ଜାତୀୟ ପଶୁର ମୃତ୍ୟୁକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

The post ଦୁର୍ଘଟଣାରେ ମୃତ ବାଘର ଦାହ-ସତ୍କାର first appeared on Sambad.

from ଜିଲ୍ଲା | Sambad https://ift.tt/3jA8caS