ଧର୍ମଶାଳା : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। କାହାରିକୁ ନଜଣାଇ ମୃତଦେହ ପୋତି ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ଚାରିବାଟିଆ ଗାଁ ନିକଟ ଜାତୀୟ ରାଜପଥ-୫୩ ପାର୍ଶ୍ବରେ ଘଟିଛି ଏଭଳି ଛାତିଥରା ଘଟଣା। ଗିରଫ ସ୍ବାମୀ ହେଉଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ରବି ପିଙ୍ଗୁଆ।

ଚାରିବାଟିଆ ରାସ୍ତାକଡ଼ରେ ରବି ଓ ତା’ ପତ୍ନୀ କୋଇଲି ଟୁଡୁ (୩୪)ଙ୍କ ସହ ୩ ପିଲା ପଲିଥିନ୍‌ ତମ୍ବୁତଳେ ରହୁଥିଲେ। ଅଧିକାଂଶ ସମୟରେ ରବି ମଦ ପିଇ ପତ୍ନୀ ଓ ପିଲାମାନଙ୍କୁ ମାରପିଟ୍‌ କରିଥାଏ। ଗତ ୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସେ ମଦ ପିଇ ଆସି ଘରେ ପତ୍ନୀ କୋଇଲିଙ୍କୁ ନପାଇ ଉତ୍‌କ୍ଷିପ୍ତ ହୋଇ ରହିଥିଲା। କିଛି ସମୟ ପରେ କୋଇଲି ଘରକୁ ଫେରିବାରୁ କେଉଁଆଡ଼େ ଯାଇଥିଲୁ ବୋଲି ପଚାରି ଗାଳିଗୁଲଜ କରିବା ସହ ମାରଧର କରିଥିଲା। ପରେ ଏକ କାଠ ଫାଳିଆରେ ନିସ୍ତୁକ ପିଟିଥିଲା। ଫଳରେ କୋଇଲିଙ୍କ ଗୋଡ଼, ମୁଣ୍ତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଏଥିରେ ସେ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ ବି ରବି କିଛି ଶୁଣି ନଥିଲା। ଡାକ୍ତରଖାନା ମଧ୍ୟ ନେଇ ନଥିଲା। ଫଳରେ ଗତକାଲି ଅପରାହ୍‌ଣରେ ସେହି ତମ୍ବୁ ତଳେ ପଡ଼ିରହି କୋଇଲିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ରବି କାହାରିକୁ କିଛି ନଜଣାଇ ମୃତଦେହ ପୋତିଦେବାକୁ ଉଦ୍ୟମ କରିଥିଲା।

ଏ ସଂପର୍କରେ ଖବର ପାଇ ଭଣ୍ତାରୀପୋଖରୀ ଥାନା ମନୋହରପୁର ଗ୍ରାମର କୋଇଲିଙ୍କ ମା’ ସୂର୍ଯ୍ୟା ମୁଣ୍ଡା ପହଞ୍ଚି ଝିଅକୁ ଜ୍ବାଇଁ ପିଟିପିଟି ମାରି ଦେଇଥିବା ନେଇ ଧର୍ମଶାଳା ଥାନାରେ ଆଜି ଏତଲା ଦେଇଥିଲେ। ପୁଲିସ୍‌ ଏନେଇ ୩୮୦/୨୧ରେ ଏକ ହତ୍ୟା ମାମଲା ରୁଜୁକରି ଶବ ଜବତ କରିବା ସହ ଅଭିଯୁକ୍ତ ରବିକୁ ଗିରଫ କରିଛି। ମୃତଦେହକୁ ବଡ଼ଚଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ଶାଶୂଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯିବ ବୋଲି ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ବହୁବର୍ଷ ହେଲା ରବି ଆସି ଚାରିବାଟିଆ ଗାଁ ନିକଟରେ ଆସି ପରିବାର ସହିତ ରହୁଥିଲା। ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାମ କରି ଚଳୁଥିଲା। ସେମାନଙ୍କର ୫ବର୍ଷ ଓ ୩ ବର୍ଷର ଦୁଇପୁଅ ଥିବାବେଳେ ଏକ ବର୍ଷର ଗୋଟିଏ ଝିଅ ଅଛି। ଗୋଟିଏପଟେ ମା’ର ମୃତ୍ୟୁ ଓ ବାପା ଗିରଫ ହୋଇଯିବା ପରେ ସେମାନଙ୍କ ୩ ଛୋଟପିଲା ବେସାହାରା ହୋଇଯାଇଛନ୍ତି।

The post ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ, ୩ ପିଲା ବେସାହାରା first appeared on Sambad.

from ଜିଲ୍ଲା | Sambad https://ift.tt/3kAlSmo