ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଉମୁରୀ ଗାଁର ୮ଟି ୱାର୍ଡ ବାସୀଙ୍କୁ ଗତ ୫ମାସ ହେବ ମିଳୁନି ବୁନ୍ଦେ ଭଲ ପାଣି। ଏହି ଅସୁବିଧାକୁ ନେଇ ଏହି ୮ଟି ୱାର୍ଡର ମହିଳା ମାନେ କେବିଡି ସମିତି ସଭ୍ୟ ରାଜେନ୍ଦ୍ର ସାହୁଙ୍କ ସହ ଆଜି ଜୟପୁର ବିଡିଓ ଓ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମସ୍ୟା ତୁରନ୍ତ ସୁଧାରିବାକୁ ଦାବି କରି ଏକ ଅନୁରୋଧ ପତ୍ର ବି ଦେଇଛନ୍ତି। ଉମୁରୀ ଗାଁରେ ଥିବା ସବୁ ୱାର୍ଡର ସବୁ ସାହି ଓ ଗଳିକୁ ପଂଚାୟତ ତରଫରୁ ପାନୀୟ ଜଳଯୋଗାଣର ବ୍ୟବସ୍ଥା ହୋଇଥିଲା। ତେବେ ଗତ ଫେବୃଆରୀ ମାସରେ ଜାତୀୟ ରାଜପଥ ୨୬ର ବୋରିଗୁମ୍ମାରୁ ଜୟପୁର ପର୍ଯ୍ୟନ୍ତ ସଂପ୍ରସାରଣ ଓ ପ୍ରଶସ୍ତିକରଣ କାମ କରାଯାଇଥିଲା। ଏହି ସମୟରେ ପାଇପ୍ ଲାଇନର ପାଇପଗୁଡ଼ିକ କଟି ଯାଇଥିଲା।

ଏହା ପରେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିବା ପରେ ବି ଏହି ୮ଟି ୱାର୍ଡ ବାସିନ୍ଦା ପିଇବା ପାଣିରୁ ବଂଚିତ ହୋଇଛନ୍ତି। ଅନ୍ୟ ସାହିରେ ଥିବା ନଳକୁପ ଓ କୂଅ ନିକଟରେ ଲମ୍ବା ଲାଇନ୍ ଲଗାଇ ପାଣି ଆଣୁଥିବା ଏମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମହିଳା ମାନେ ଅନୁରୋଧ କରିଛନ୍ତି। ତୁରନ୍ତ ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଗରାହାଣ୍ଡି ଧରି ରାଜରାସ୍ତାରେ ଓହ୍ଲାଇବାକୁ ମହିଳା ମାନେ ଚେତାବନୀ ଦେଇଛନ୍ତି।

The post ୫ମାସ ହେଲା ଉମୁରୀର ୮ଟି ୱାର୍ଡକୁ ମିଳୁନି ପାଣି; ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା first appeared on Sambad.

from ଜିଲ୍ଲା | Sambad https://ift.tt/3rsUmsI