ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଉପାନ୍ତ ଅଞ୍ଚଳ ଗୁଡ଼ଭେଲା ବ୍ଲକ୍‌ ଅଂଚଳରେ ଜଣେ ୧୦ ବର୍ଷର ନାବାଳିକାକୁ ୬୦ ବର୍ଷର ପଡ଼ୋଶୀ ପିଶାଚ ସାଜି ଦୁଷ୍କର୍ମ ଉଦ୍ୟମ କରିବା ଭଳି ଏକ ଘଟଣା ଘଟିଛି। ଝିଅର ବାପା ଜାଣିପାରି କଷ୍ଟେମଷ୍ଟେ ଝିଅକୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଛନ୍ତି। ଗୁରୁବାର ରାତି ଏହି ଘଟଣା ହୋଇଥିବା ବେଳେ ଗାଁ ଲୋକ ବାରବାର ହେଲ୍‌ପ ଲାଇନ ନମ୍ବର ଏବଂ ପୁଲିସକୁ ଯୋଗାଯୋଗ କରିଥିଲେ ବି କେହି ଶୁଣିନଥିଲେ। ଶୁକ୍ରବାର ଶିଶୁ ବିକାଶ ମଙ୍ଗଳ କମିଟି ଓ ଚାଇଲ୍ଡଲାଇନ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଅଭିଯୋଗରୁ ଜଣାଯାଏ ଯେ, ଗୁଡ଼ଭେଲା ବ୍ଲକ ଜାମୁଟ ଗାଁରେ ପରିବାର ସହ ରୁହନ୍ତି ୬୦ ବର୍ଷୀୟ  ସାଫିୟାତ ଖାନ। ପଡ଼ୋଶୀ ଦଶ ବର୍ଷର ଦଳିତ ଝିଅ ରାତିରେ ପରିସ୍ରା ପାଇଁ ବାହାରକୁ  ଆସିଥିବା ସମୟରେ ଝିଅକୁ ସାଫିୟାତ ଉଠାଇ ନେଇଥିଲେ। କିନ୍ତୁ ଭାଗ୍ୟବଶତଃ ଝିଅ କିଛି ସମୟ ଘରକୁ ଫେରିନଥିବାରୁ ଖୋଜିବାକୁ ଯାଇ ଏକ ବାଳିଗଦାରେ ଝିଅକୁ ସାଫିୟାତ ଦୁଷ୍କର୍ମ ଉଦ୍ୟମ କରୁଥିବା ବାପା ଦେଖିବାକୁ ପାଇଥିଲେ। ନିଜ ବଳ ଖଟାଇ ଝିଅକୁ ଉଦ୍ଧାର କରିଥିଲେ। ହେଲେ ସାଫିୟାତର ଆକ୍ରମଣରେ ସେ ନିଜେ ଆହତ ହୋଇଥିଲେ। ଘଟଣା ଜାଣି ପାଖପଡ଼ୋଶୀ ଜମା ହୋଇଥିଲେ। ବାରବାର ୧୧୨ ନମ୍ବରକୁ ଫୋନ୍‌ କଲେ। କିନ୍ତୁ ଶୁକ୍ରବାର ଦିନ ୧୨ଟା ସୁଦ୍ଧା ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚିନଥିଲା। ଏନେଇ ଶିଶୁ ବିକାଶ ମଙ୍ଗଳ କମିଟି ପାଖକୁ ଖବର ପହଞ୍ଚିବା ପରେ କମିଟିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିବା ସହ ତୁରନ୍ତ ପୁଲିସ ପଦକ୍ଷେପ ନେବା କଥା ବୋଲି କହିଥିଲେ। କିନ୍ତୁ କଣ ପାଇଁ ପୁଲିସ ତତ୍ପରତା ଦେଖାଇଲା ନାହିଁ ତାହାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଘଟଣା ସଂର୍ପକରେ ସବିଶେଷ ତଥ୍ୟ ଆଣିବା ପାଇଁ ଚାଇଲଡଲାଇନ ଟିମକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ପୁଲିସ ଅପରାହ୍ଣରେ ଗାଁକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

The post ପିଶାଚ ସାଜିଲା ପଡ଼ୋଶୀ, ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ first appeared on Sambad.

from ଜିଲ୍ଲା | Sambad https://ift.tt/3eRIbk5