
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ଆଶୁତୋଷ ମିଶ୍ର ଗତ ୩ ତାରିଖରେ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ। ଶୁକ୍ରବାର ଜେଲରୁ ଜାମିନରେ ମୁକୁଳିବା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁନର୍ବାର ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହି ଘଟଣାରେ ରାଜ୍ୟସରକାର ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।
ସୂଚନାଥାଉ କି, ପିପି ଆଶୁତୋଷ ମିଶ୍ର ଏକ ମାମଲାର ରଫାଦଫା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଜୁଲାଇ ୩ ତାରିଖରେ କଟକ ଭିଜିଲାନ୍ସ ଟିମ୍ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ରାଧାକୃଷ୍ଣ ନଗର ତାଙ୍କ ବାସଭବନରେ ଚଢ଼ଉ କରାଯାଇ ୮୫ ଲକ୍ଷ ୨ହଜାର ୨୭୬ ଟଙ୍କାର ସମ୍ପତ୍ତି ଓ ୧୫ ଲକ୍ଷ ୬୦ହଜାର ୧୪୦ ଟଙ୍କା ନଗଦ ଠାବ ହୋଇଥିଲା। ଶୁକ୍ରବାର ସ୍ବତନ୍ତ୍ର ପିପିଙ୍କ ଜାମିନ ମଞ୍ଜୁର ହେବା ପରେ ସକାଳୁ ଜେଲରୁ ମୁକୁଳି ଥିଲେ। ପୂର୍ବରୁ ଖବର ପାଇ ଜେଲ୍ ନିକଟରେ କଟକ ଭିଜିଲାନ୍ସର ଡିଏସ୍ପି ପ୍ରଦ୍ୟୁମ୍ନ ଦ୍ବିବେଦୀ, ମନୋରମା ମଲ୍ଲିକ, ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ ଓ ମାଲକାନଗିରି ଡିଏସ୍ପି ସୁଶାନ୍ତ ବିଶ୍ବାଳ ସେଠାରେ ରହିଥିଲେ। ଜେଲରୁ ବାହାରିବା ପରେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଶ୍ରୀ ମିଶ୍ର ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଯାଇଛି। ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ପରବର୍ତ୍ତୀ ଜାମିନ ଶୁଣାଣି ହେବ। ଭିଜିଲାନ୍ସ ପିପି ଦ୍ବିତୀୟଥର ଗିରଫ ହୋଇ ଜେଲ୍ ଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
The post ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଦ୍ବିତୀୟ ଥର ଗିରଫ ହେଲେ ଭିଜିଲାନ୍ସ ପିପି first appeared on Sambad.from ଜିଲ୍ଲା | Sambad https://ift.tt/2We0zx4
0 Comments