ରାଜଗାଙ୍ଗପୁର : ରାଜଗାଙ୍ଗପୁରସ୍ଥିତ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲୋକଙ୍କର ସେବାରେ ଆସିପାରୁନାହିଁ। ଯାହାଫଳରେ ବ୍ୟାଙ୍କର ଗ୍ରାହକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ପରିଲକ୍ଷିତ ହେଉଛି। ରାଜ୍ୟ ସରକାର ମହିଳାଙ୍କୁ ସଶସ୍ତ୍ରୀକରଣ କରିବାକୁ ଏସ୍‌ଏଚ୍‌ଜି ଗଠନ କରିଛନ୍ତି। ରାଜ୍ୟ ସରକାରଙ୍କର ଅଧିକାଂଶ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଖାତା ରାଜ୍ୟ ସରକାରଙ୍କର ବ୍ୟାଙ୍କରେ ରଖିବାକୁ ପସନ୍ଦ କରୁଛନ୍ତି। ମାତ୍ର ରାଜଗାଙ୍ଗପୁର ଶାଖାରେ ଥିବା କେତେକ କର୍ମଚାରୀ ମହିଳାଙ୍କୁ ଠିକ ଭାବେ ସେବା ଯୋଗାଉ ନଥିବା ଅଭିଯୋଗ ହୋଇଛି।

ରାଜଗାଙ୍ଗପୁର ପୌରପାଳିକା ଏବଂ ବ୍ଲକ୍‌ରେ ଥିବା‌ ମହିଳା ଗ୍ରୁପର ସଦସ୍ୟମାନେ ଟଙ୍କା ନେବାକୁ ଆସି ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ବ୍ୟାଙ୍କ ଖାତାରୁ ଟଙ୍କା ବାହାର କରିବା ପାଇଁ ୧୦ଟାରୁ ଆସି ୧୨ଟା ଗୋଟାଏ ପର୍ଯ୍ୟନ୍ତ ଜନୈକ ଅଧିକାରୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ବ୍ୟାଙ୍କରେ କାର୍ଯ୍ୟରତ ଅଧିକାରୀ ଜଣକ ପ୍ରତିଦିନ ରାଉରକେଲାରୁ ଯିବା ଆସିବା କରିଥାନ୍ତି। ତାଙ୍କ ହାତରେ ବ୍ୟାଙ୍କ ଚାବି ଥିବାରୁ ବ୍ୟାଙ୍କର ଲକର ତାଙ୍କ ଅନୁପସ୍ଥିତିରେ ଖୋଲା ଯାଇ ପାରିନଥାଏ। ଏଣୁ ଗ୍ରାହକ ମାନଙ୍କୁ ଟଙ୍କା ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ।

ରାଜଗାଙ୍ଗପୁର ଶାଖାରେ କର୍ମଚାରୀମାନେ ଠିକ ଭାବେ ସେବା ଯୋଗାଉ ନଥିବାରୁ ଅଧିକାଂଶ ଗ୍ରାହକ ନିଜର ବ୍ୟବସାୟ ବନ୍ଦ କରିଛନ୍ତି। ତାହା ସହିତ ଉକ୍ତ ବ୍ୟାଙ୍କରେ ଥିବା ସ୍ଥାୟୀ ଜମା ରାଶିକୁ ଗ୍ରାହକମାନେ ଉଠାଇ ନେବାକୁ ପସନ୍ଦ କରୁଛନ୍ତି। ରାଜ୍ୟ ସରକାରଙ୍କର ଅନ୍ୟ ବ୍ୟାଙ୍କ ଗୁଡିକ ଲାଭରେ ଚାଲୁଥିବାବେଳେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ କ୍ଷତିରେ ଚାଲିବା ପଛରେ କେତେକ ଅଧିକାରୀଙ୍କର ଅସହଯୋଗ ହିଁ ଦାୟୀ ବୋଲି ବିଭିନ୍ନ ସଂସ୍ଥାମାନେ ନିଜର ମତ ଦେଇଛନ୍ତି।

The post ଗ୍ରାହକଙ୍କୁ ଅଣଦେଖା କରୁଛି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ first appeared on Sambad.

from ଜିଲ୍ଲା | Sambad https://ift.tt/3hwi0zH