କଟକ : ମାଟ୍ରିକ୍ ମୂଲ୍ୟାୟନରେ ବ୍ୟାପକ ଅନିୟମିତତା ଓ ରେକର୍ଡରେ ଜାଲିଆତି ଅଭିଯୋଗ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି।

ନିରାକାର ପରୁଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ପୁଅ ଜୁନେଶ ଝାରସୁଗଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଗହ୍ମାପଲ୍ଲୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀର ଛାତ୍ର। ମାଟ୍ରିକ୍ ପରୀକ୍ଷା ବାତିଲ ପରେ ବିକଳ୍ପ ମୂଲ୍ୟାୟନ ଶୈଳୀ ଅନୁସାରେ ମାର୍କ ପ୍ରଦାନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ କରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ପୁଅର ନବମ ଓ ଦଶମ ଶ୍ରେଣୀର ମାର୍କ ପଠାଇଥିଲେ। ଛାତ୍ର ଜଣକ ସବୁ ବେଳେ ଶ୍ରେଣୀ ପରୀକ୍ଷାରେ ୮୫ରୁ ୯୦ ପ୍ରତିଶତ ମାର୍କ ରଖୁଥିଲେ। କିନ୍ତୁ ରେକର୍ଡରେ ଜାଲିଆତି କରାଯାଇଛି। ଛାତ୍ରଙ୍କ ନବମ ଓ ଦଶମ ଶ୍ରେଣୀର ମାର୍କକୁ ବିଚାରକୁ ନିଆଯାଇ ନାହିଁ। କାରଣ ଏହି ସବୁ ମାର୍କ ଠିକ୍ ଭାବେ ରେକର୍ଡରେ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ରେକର୍ଡର ଯାଞ୍ଚ କରି ଛାତ୍ର ଜଣଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କରିଥିବା ବିକଳ୍ପ ମୂଲ୍ୟାୟନ ନିୟମାବଳୀ ଅନୁସାରେ ଉପଯୁକ୍ତ ମାର୍କ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଝାରସୁଗୁଡା ଜିଲ୍ଲାପାଳ, ଏସପି, ଡିଇଓ, ମାଧ୍ୟମିକ ଶିକ୍ଷା ପରିଷଦ, ଗହ୍ମାପଲ୍ଲୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

The post ମାଟ୍ରିକ୍ ମୂଲ୍ୟାୟନ ବିବାଦ: ମାର୍କ ରେକର୍ଡରେ ଜାଲିଆତି ନେଇ ହାଇକୋର୍ଟରେ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3xoLExJ