ପୁରୀ : ଜ୍ୱରରେ ପଡ଼ି ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ଏ ଭିତରେ ସୁସ୍ଥ ହୋଇଛନ୍ତି। ଚକା ବିଜେ ପରେ ଅଣସର ପରଠାରୁ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି। କିନ୍ତୁ ବହୁଦିନ ଧରି ଜ୍ୱରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ବୁଧବାର ଶ୍ରୀମନ୍ଦିରକୁ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) ବିଜେ କରାଯାଇଛି। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ବୁଧବାର ଖଳିହାଣ୍ଡିରେ ଶୁଭ୍ର ପୁଷ୍ପରେ ସଜେଇ ଶ୍ରୀମନ୍ଦିରକୁ ନେଇଛନ୍ତି।

ପରମ୍ପରା ଅନୁଯାୟୀ, ବୁଧବାର ଶ୍ରୀମନ୍ଦିରରୁ ବିଜେ କାହାଳୀ ବାଜି ଦୋଳମଣ୍ଡପ ସାହିସ୍ଥିତ ଶୁଦ୍ଧ ସୁଆରଙ୍କ ଘରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଖଳି ବିଜେ ପର୍ବ ଆରମ୍ଭ ହୋଇଥିଲା। ସୁସଜ୍ଜିତ ଖଳିହାଣ୍ଡି ସହ ତିନି ବାଡ଼ର ମୁଖ୍ୟ ଶୁଦ୍ଧ ସୁଆରଙ୍କୁ ଦୋଳମଣ୍ଡପ ସାହିଠାରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲା। ପରେ ଏହି ଖଳିକୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଆଜି ଖଳିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ, ଗତକାଲି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯାଇଥିଲା। ଏହାକୁ ଜଳସମାଧି ଦିଆଯାଇଥିଲା। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ଗତକାଲି ସଂଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ବିମଳାଙ୍କ କୂଅରୁ ଜଳ ଆସିଥିଲା। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ର ମୁଖ୍ୟ ଶୁଦ୍ଧ ସୁଆର ସେବକ ରାମଚନ୍ଦ୍ର ସୁଆର, ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ର ମୁଖ୍ୟ ଶୁଦ୍ଧ ସୁଆର ସେବକ ଲୋକନାଥ ସୁଆର ଓ ମା’ ସୁଭଦ୍ରାଙ୍କ ବାଡ଼ର ମୁଖ୍ୟ ଶୁଦ୍ଧ ସୁଆର ସେବକ ଶ୍ରୀଧର ସୁଆର ନିଜ ନିଜ ଘରେ ଏହି ଦିବ୍ୟ ପ୍ରଲେପ ପ୍ରସ୍ତୁତ କରିଥିଲେ। ଶ୍ରୀମନ୍ଦିରକୁ ଏହି ଦିବ୍ୟ ପ୍ରଲେପ ବିଜେ ପରେ ଦଇତାପତି ସେବକମାନେ ଏହାକୁ ଶ୍ରୀଜିଉଙ୍କଠାରେ ଲାଗି କରିଛନ୍ତି। ଏହା ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବଜ୍ର କରିଥାଏ ବୋଲି କହିଛନ୍ତି ଶୁଦ୍ଧ ସୁଆର ସେବକମାନେ କହିଛନ୍ତି।

ବିଳମ୍ବିତ ରାତିରେ ପଟିଦିଅଁଙ୍କୁ ଭୋଗଲାଗି, ଘଣାଲାଗି ନେଇ ଦିନକ ପାଇଁ ନୀତିକାନ୍ତି ବନ୍ଦ
ପୁରୀ : ଅଣସର ବେଳର ଅନ୍ୟତମ ପ୍ରମୁଖ ନୀତି ଘଣାଲାଗି ନୀତି ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଦି ଦିନତମାମ ପଟଦିଅଁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରଖାଯାଇଛି। ବିଳମ୍ବିତ ରାତିରେ ପଟିଦିଅଁଙ୍କ ମଙ୍ଗଳଆଳତି ସହ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଗତକାଲି ରାତି ୨ଟା ୪୫ରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ପରେ ଭୋର ୪ଟା ୧୫ରେ ଅଣସର ନୀତି ପୁନର୍ବାର ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ଚକଟା ଭୋଗ ଲାଗି ପରେ ଭୋର ୪ଟା ୪୫ରେ ବିରୂପ ବିସର୍ଜନ କରାଯାଇଥିଲା। ଭୋର ୫ଟାରେ ଦଇତାପତି ସେବକମାନେ ଘଣାକଟା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଆଜି ଦିନତମାମ ଘଣାଲାଗି ନୀତି ଚାଲିଥିବାରୁ ଦଇତାପତି ପ୍ରବେଶଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ପଟିଦିଅଁଙ୍କଠାରେ ଆଜି କୌଣସି ଭୋଗ ଲାଗିନି କି ନୀତିକାନ୍ତି ହୋଇନି। ଆଜି ବିଳମ୍ବିତ ରାତିରେ ଘଣାଲାଗି ନୀତି ଶେଷ ପରେ ନୀତିକାନ୍ତି ଆରମ୍ଭ ହୋଇଛି। ମଙ୍ଗଳଆଳତି ସହ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ପଟିଦିଅଁକୁ ଭୋଗ ଲାଗି କରାଯାଇଛି।

The post ଶ୍ରୀଅଙ୍ଗ ବଜ୍ର ପାଇଁ ଶ୍ରୀମନ୍ଦିରକୁ ଖଳି ବିଜେ first appeared on Sambad.

from ଜିଲ୍ଲା | Sambad https://ift.tt/3qR7FCW