କଟକ : ନିୟମ ଉଲ୍ଲଂଘନ କରି ବାଲି ଉତ୍ତୋଳନ ପାଇଁ ଅନୁମତି ଦେବା ବେଲଗୁଣ୍ଠା ତହସିଲଦାରଙ୍କ ପାଇଁ ମହଙ୍ଗା ପଡିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ଓ ପରିବେଶ ମଞ୍ଜୁରୀ ଅଛି କି ନାହିଁ ଯାଞ୍ଚ ନକରି ବାଲି ଉତ୍ତୋଳନ ପାଇଁ ତହସିଲଦାର ଲିଜଧାରୀଙ୍କୁ ‘ୱାଇ’ ଫର୍ମ ଦେବା ପ୍ରସଂଗକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଭଳି ଅଭିଯୋଗ ରହିଥିବା ବେଲଗୁଣ୍ଠା ତହସିଲଦାରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନଜିଟି ନି‌ର୍ଦ୍ଦେଶ ଦେଇଛନ୍ତି। ତହସିଲଦାରଙ୍କ ବିରୋଧରେ ଏତଲା ରୁଜୁ ଓ ଆପରାଧିକ ମାମଲାର ଶୁଣାଣି ଆଇନ ଅନୁସାରେ ଶେଷ କରାଯିବ ବୋଲି ଏନଜିଟି ସ୍ପଷ୍ଟ କରିଛନ୍ତି। ମିତ୍ରଭାନୁ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ  ଯେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବଙ୍କା ଓ ସୁରମଣି ଗାଁରେ ବଡନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଅଭିଯୋଗ ନେଇ ଏନଜିଟିରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ୨୦୨୧, ମାର୍ଚ୍ଚ ୩ରେ ଏନଜିଟି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଏସଇଆଇଏଏ, ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନେଇ କମିଟି ଗଠନ କରିଥିଲେ। କମିଟି ଘଟଣାସ୍ଥଳ ଅନୁଧ୍ୟାନ କରି ଏନଜିଟିରେ ଦାଖଲ କରିଥିବା ରିପୋର୍ଟରେ ବେଆଇନ ବାଲି ଉତ୍ତୋଳନ ଘଟଣା ସତ ବୋଲି ସ୍ପଷ୍ଟ ହୋଇଥିଲା। ନିୟମ ବିରୋଧରେ ତହସିଲଦାର ଲିଜ୍ ପ୍ରଦାନ କରିଥିବା ବେଳେ ଦୁଇ ଲିଜଧାରୀ ବେଅାଇନ ଭାବେ ବାଲି ଉତ୍ତୋଳନ କରିଥିବା ରିପୋର୍ଟରୁ ସ୍ପଷ୍ଟ ହେବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ। କିନ୍ତୁ  ରିପୋର୍ଟ‌ରେ କେତେ ସରକାରୀ ରାଜସ୍ବ ହାନି ହୋଇଛି, ପରିବେଶର କ୍ଷତି ପାଇଁ କେତେ କ୍ଷତିପୂରଣ ଆଦାୟ ହୋଇଛି, ଜରିମାନା ଆଦାୟ କରାଯାଇଛି କି ନାହିଁ ଓ ଦୁଇ ଲିଜଧାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ‌େହାଇଛି କି ନାହିଁ ସେ ନେଇ କିଛି ତଥ୍ୟ ନଥିଲା। ଏଭଳି ସ୍ଥିତିରେ ତହସିଲଦାରଙ୍କ ବିରୋଧରେ ଏତଲା ରୁଜୁ ସହିତ ଏହି ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ରିପୋର୍ଟ ଚାରି ସପ୍ତାହ ଭିତରେ ଦାଖଲ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

The post ମଞ୍ଜୁରୀ ନଥାଇ ବାଲିଘାଟ ଲିଜ୍ ପ୍ରସଂଗ: ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି, ବେଲଗୁଣ୍ଠା ତହସିଲଦାରଙ୍କ ବିରୋଧରେ ଏତଲା ରୁଜୁ କର first appeared on Sambad.

from ଜିଲ୍ଲା | Sambad https://ift.tt/3yxT5mh