
୨୪,୬୨୪ ମେଟ୍ରିକ୍ ପିଲାଙ୍କୁ ୧୯,୯୨୨ ସିଟ୍
ଗତବର୍ଷ ମାଟ୍ରିକ୍ ପାସ୍ କରିଥିଲେ ୧୯,୮୧୫
ରାଉରକେଲା : ବିନା ପରୀକ୍ଷାରେ ମାଟ୍ରିକ ପାସ୍ର ଏଥର ରାଜ୍ୟରେ ଇତିହାସ ସୃଷ୍ଟି କରିଛି। ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ପାସ୍ ହାର ରହିଛି ୯୭.୮୯ ପ୍ରତିଶତ । ଅର୍ଥାତ୍ ୬ ଲକ୍ଷ ୧୭ ହଜାର ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ପାସ୍ ହାର ରହିଛି ୯୮.୪୦%। ଅର୍ଥାତ୍ ୨୪ ହଜାର ୬୨୪ ପିଲା ପାସ୍ କରିଛନ୍ତି। ତେବେ ଚଳିତ ବର୍ଷ କୃତକାର୍ଯ୍ୟ ହୋଇଥିବା ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାଇଁ କଲେଜରେ ଆବଶ୍ୟକ ସିଟ୍ ନାହିଁ। ଏମାନେ ଏବେ ପଢ଼ିବେ କେଉଁଠି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଚଳିତ ଥର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଯେତିକି ପିଲା ମେଟ୍ରିକ ପାସ୍ କରିଛନ୍ତି ଯୁକ୍ତ ଦୁଇରେ ସେତିକି ସଂଖ୍ୟକ ସିଟ୍ ନାହିଁ। ଏଣୁ ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ମାଟ୍ରିକ ପରୀକ୍ଷାରେ ପାସ୍ କରୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ କଲେଜକୁ ବାଛିଥାଆନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଆଇଟିଆଇ ଓ ଡିପ୍ଲୋମା କରନ୍ତି। ଗତ କେଇ ବର୍ଷ ଧରି ଉଭୟ ଡିପ୍ଲୋମା ଓ ଆଇଟିଆଇରେ ଛାତ୍ରଛାତ୍ରୀଙ୍କ ଆସୁ ନଥିବାରୁ ଜିଲ୍ଲାରେ ଉଭୟ ଶିକ୍ଷା ଅନୁଷ୍ଠାନରେ ଅଧିକାଂଶରେ ତାଲା ଝୁଲୁଛି। ତେଣୁ ଯେତିକି ଡିପ୍ଲୋମା କଲେଜ ଓ ଆଟିଆଇ ଚାଲିଛି ସେଠାକୁ ମେଟ୍ରିକ ଛାତ୍ରଛାତ୍ରୀ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ଏସବୁ ଅନୁଷ୍ଠାନ ଆବଶ୍ୟକ ଭିତ୍ତିଭୂମି କିମ୍ବା ଗୁଣାତ୍ମକ ଶିକ୍ଷା ନାହିଁ। ଏସବୁ କାରଣରୁ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମେଟ୍ରିକ ପରେ ସିଟ୍ ନ ମିଳିଲେ ପାଠ ଡୋରି ବାନ୍ଧିବା ଏକ ପ୍ରକାର ନିଶ୍ଚିତ। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ରାଉରକେଲା, ସୁନ୍ଦରଗଡ ସମେତ ୧୭ଟି ବ୍ଲକରେ ମୋଟ ୮୭ ଟି ଯୁକ୍ତ ଦୁଇ କଲେଜ ରହିଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ସିଟ୍ ରହିଛି ୧୯ ହଜାର ୯୨୨। ଏଥି ମଧ୍ୟରେ କଳାରେ ସିଟ୍ ସଂଖ୍ୟା ହେଉଛି ୧୦, ୦୬୮, ବିଜ୍ଞାନରେ ୬,୫୯୪, ବାଣିଜ୍ୟରେ ୨,୭୬୮, ସଂସ୍କୃତରେ ୧୮୬ ଓ ଧନ୍ଦାମୂଳକ ଶିକ୍ଷାରେ ୩୦୦ ସିଟ୍ ରହିଛି। ପିଲା ପାସ୍ କରିଛନ୍ତି ୨୬ ହଜାର ୬୨୪ ।ଯଦି ଜିଲ୍ଲାର ସମସ୍ତ କଲେଜରେ ସିଟ୍ ପୂରଣ ହୁଏ ତଥାପି ଆହୁରି ୪ ହଜାର ୭୦୨ ପିଲା ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଇବାରୁ ବଞ୍ଚିତ ହେବେ। ଏସବୁ ପିଲାଙ୍କ ଭାଗ୍ୟ ନେଇ ଉଚ୍ଚ ଶିକ୍ଷା ବିଭାଗ ଏବେଠୁ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ଗତ ୨୦୨୦-୨୧ରେ ମେଟ୍ରିକ୍ରେ ପାସ୍ ହାର ରହିଥିଲା ୮୫.୮୫% ଅର୍ଥାତ୍ ମୋଟ ୧୯,୮୧୫ ପିଲା ପାସ୍ କରିଥିଲେ। ଏ-୧ରେ କୃତକାର୍ଯ୍ୟ ହୋଇଥିଲେ ୨୯ ଛାତ୍ରଛାତ୍ରୀ। ଯୁକ୍ତ ଦୁଇରେ ନାମ ଲେଖାଇଥିଲେ ହେଁ ୧୫ ହଜାର ୫୫୫। ଖାଲି ପଡିଥିଲା ୪ ହଜାର ୩୬୭ ସିଟ୍। ଏଥି ମଧ୍ୟରୁ କଳାରେ ସର୍ବନିମ୍ନ ୩୫୨, ବିଜ୍ଞାନରେ ସର୍ବାଧିକ ୩, ୩୬, ବାଣିଜ୍ୟରେ ୪୫୪, ସଂସ୍କୃତରେ ୬, ଧନ୍ଦାମୂଳକ ଶିକ୍ଷାରେ ୧୮୬ ସିଟ୍ । ସେମିତି ୨୦୧୯-୨୦ରେ ମେଟ୍ରିକ୍ର ପାସ୍ ହାର ରହିଥିଲା ୬୭.୭୦%। ଅର୍ଥାତ୍ ମୋଟ ୨୪ ହଜାର ୮୯୯ ପିଲାଙ୍କ ମଧ୍ୟରୁ ୧୬ ହଜାର ୮୩୮ ପିଲା ପାସ୍ କରିଥିଲେ। ସେତେବେଳେ ଜିଲ୍ଲାର ଯୁକ୍ତ ଦୁଇ କଲେଜର ମୋଟ ସିଟ୍ ସଂଖ୍ୟା ଥିଲା ୨୦ ହଜାର ୬୦୦। ପାସ୍ କରିଥିବା ମେଟ୍ରିକ ପିଲାଙ୍କ ମଧ୍ୟରୁ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇଥିଲେ ୧୫ ହଜାର ୫୧୮। ଖାଲି ପଡିଥିଲା ୫ ହଜାର ୮୨ ସିଟ୍। ସେପଟେ ଚଳିତ ଥର ଏତେ ସଂଖ୍ୟକ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଭାଗ କହିଛି। କିନ୍ତୁ ଅଦ୍ୟାବଧି କେଉଁ କଲେଜରେ କେତେ ସିଟ୍ ବଢ଼ିବ, ଏ ସଂକ୍ରାନ୍ତରେ କଲେଜକୁ କିଛି ସୂଚନା ନାହିଁ। ଖାଲି ସିଟ୍ ବଢ଼ାଇ ଦେଲେ ହେବ ନାହିଁ ସେହି ଅନୁଯାୟୀ ଅଧ୍ୟାପକଅଧ୍ୟାପିକା ନିଯୁକ୍ତିର ମଧ୍ୟ ଆବଶ୍ୟକତା ରହିଛି। ବର୍ଷ ବର୍ଷ ଧରି ଜିଲ୍ଲାରେ ଖାଲି ପଡିଥିବା ଶହ ଶହ ଅଧ୍ୟାପକଅଧ୍ୟାପିକା ପୂରଣ ହୋଇପାରିନି। ଏସବୁ ଭିତିରେ ଉଚ୍ଚ ଶିକ୍ଷା ବିଭାଗ ବିନା ପରୀକ୍ଷାରେ ମେଟ୍ରିକ ପାସ୍ କରିଥିବା ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାରେ କେତେଦୂର ସକ୍ଷମ ହେଉଛି, ତାକୁ ହିଁ କେବଳ ଦେଖିବାକୁ ବାକି ରହିଲା।
The post ସୁନ୍ଦରଗଡ ଜିଲ୍ଲାରେ ଯୁକ୍ତ ୨ରେ ସିଟ୍ ଅଭାବ first appeared on Sambad.from ଜିଲ୍ଲା | Sambad https://ift.tt/3AxMB8Z
0 Comments