କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ଶୁକ୍ରବାର ଅପରାହ୍‌ଣ ୫ଟାବେଳେ ପାହାଡ଼ରୁ ଏକ ବିରାଟ ପଥର ଖସି ଟ୍ରକ୍‌ରେ ପିଟି ହେବାରୁ ଟ୍ରକ୍‌ଟି ଭାଙ୍ଗିଯାଇଛି। ଅଳ୍ପକେ ଡ୍ରାଇଭର, ହେଲପର୍‌ ବର୍ତ୍ତି ଯାଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥରରେ କୋଲକାତାରୁ ରେଳଧାରଣା ନେଇ ଏକ ଦଶଚକିଆ ଟ୍ରକ୍‌ (ଡବ୍ଲୁବି-୨୩-ଡି-୮୦୨୧) ମହାରାଷ୍ଟ୍ର ଅଭିମୁଖେ ଯାଉଥିଲା। ଜୁଡ଼ିଆଘାଟି ପାର୍‌ ହେଉଥିବା ବେଳେ ଏକ ବିରାଟ ପଥର ପାହାଡ଼ରୁ ଖସି ଆସି ଟ୍ରକ୍‌ରେ ପିଟି ହୋଇଥିଲା। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରୋଡ୍‌ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ଟ୍ରକ୍‌ ଡାଲା କ୍ଷତିଗ୍ରସ୍ତ ହୋଇଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଥର ପଡ଼ିରହିବା ଯୋଗୁଁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ଲେଖାଯିବାବେଳକୁ ମେସିନ ସାହାଯ୍ୟରେ ରାସ୍ତାରୁ ପଥର ହଟାଇବା ପାଇଁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୪୯ ନମ୍ବର ଜାତୀୟ ରାଜପଥ ଦୋହରୀକରଣ ଏବଂ ଜୁଡ଼ିଆଘାଟିର ସଂପ୍ରସାରଣ କାର୍ଯ୍ୟ କରାଯାଇଥିଲା୬। ଘାଟି କଟାଯିବା ଏବଂ ନିର୍ମାଣ କାମ ଠିକ୍‌ରେ ହୋଇ ନଥିବାରୁ ବହୁବାର ପାହାଡ଼ରୁ ପଥର ଖସିବାର ନଜିର ରହିଛି। ଏନେଇ ଲୋକଙ୍କ ଅଭିଯୋଗ ପରେ ଠିକାସଂସ୍ଥା ପକ୍ଷରୁ ପଥର ଅଟକାଇବା ପାଇଁ ନୀଳ ରଙ୍ଗର ପ୍ଲାଷ୍ଟିକ ବସ୍ତା ବନ୍ଧା ଯାଇଥିଲା। ଏହା ସତ୍ତ୍ବେ ମଧ୍ୟ ପାହାଡ଼ରୁ ପଥରୁ ଖସୁଛି। ଏନ୍‌ଏଚ୍‌ଏଆଇ ଏଥିପ୍ରତି ଦୃଷ୍ଟି ‌ଦେବାକୁ ଦାବି ହେଉଛି।

The post ଜୁଡ଼ିଆଘାଟିରେ ବିରାଟ ପଥର ଖସିଲା, ଟ୍ରକ୍‌ ଭାଙ୍ଗିଲା first appeared on Sambad.

from ଜିଲ୍ଲା | Sambad https://ift.tt/3lf2sE0