
ବୁଗୁଡ଼ା : ବୁଗୁଡ଼ା ସହରରେ ମଶାଙ୍କ ପ୍ରାଦୁଭାବ ଦିନକୁ ଦିନ ବଢ଼ି ଚାଲିଛି l ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ସବୁ ସ୍ଥାନରେ ମଶାଙ୍କ ଆକ୍ରମଣ ଜାରି ରହିଛି l ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା ସହରବାସୀ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି l ସହରର ପରିବା ମାର୍କେଟ ଅଞ୍ଚଳ ସମେତ କିଛି ସାହି ଓ ଗଳିରେ ନର୍ଦ୍ଦମା ପାଣି ଜମି ରହି ମଶାବଂଶ ବୃଦ୍ଧିରେ ସହାୟକ ହେଉଛି l
ମଶା ନିବାରଣ ପାଇଁ ଏନ୍ଏସି ପକ୍ଷରୁ ଟିଫା ମେସିନ କିଣା ଯାଇଥିଲେ ହେଁ ତାହା ବହୁ ବର୍ଷ ହେଲା ବ୍ୟବହାର ହେଇ ନଥିବା ଲୋକେ ଅଭିଯୋଗ କରିଛନ୍ତି l ଡେଙ୍ଗୁ ବାହକ ଏଡିସ ମଶାକୁ ମାରିବା ପାଇଁ ମେଡିକାଲ ପରିସରରେ ଏକ କୁଣ୍ଡ କରାଯାଇ ମଶାଙ୍କ ଲାର୍ଭା ଖାଇ ଯାଉଥିବା ଗମ୍ବୁସିଆ ନାମକ ମାଛ ଛଡା ଯାଇଥିଲା l ଉକ୍ତ ମାଛ ଦିନକୁ ଶହେରୁ ତିନି ଶହ ପର୍ଯ୍ୟନ୍ତ ମଶାଙ୍କ ଲାର୍ଭା ଖାଇ ମଶା ବଂଶ ବୃଦ୍ଧିରେ ବାଧା ସୃଷ୍ଟି କରୁ ଥିବାରୁ କୁଣ୍ଡ ଭିତରେ ଶତାଧିକ ଗମ୍ବୁସିଆ ମାଛ ଛଡା ଯାଇଥିଲା ତେବେ ରକ୍ଷଣାବେକ୍ଷଣ ଅଭାବରୁ ମାଛ ଗୁଡିକ ମରି ଯାଇଥିଲେ। ଫଳରେ ବର୍ଷେ ହେଲା ଉକ୍ତ କୁଣ୍ଡକୁ ପୋତି ତା, ଉପରେ ଏବେ ଗୃହ ନିର୍ମାଣ ସରିଲାଣି l
ବର୍ତ୍ତମାନ ମଶା ନିୟନ୍ତ୍ରଣ ପାଇଁ ଟିଫା ମେସିନ ପ୍ରୟୋଗ ସହ ସହରର ସମସ୍ତ ନାଳନର୍ଦ୍ଦମା ସଫା କରାଯାଇ ନାଳ ପାଣି ଜମି ରହୁଥିବା ସ୍ଥାନରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଗଲେ ଡେଙ୍ଗୁ ଆଶଙ୍କା ରହିବ ନାହିଁ ବୋଲି ଜନ ସାଧାରଣ ମତ ଦେଇଛନ୍ତି l ଏନ୍ଏସି ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନାଳ ଗୁଡିକରେ ବ୍ଲିଚିଂ ଓ ଫିନାଇଲ ପକାଯାଉଥିବା ବେଳେ ଖୁବ ଶୀଘ୍ର ଟିଫା ମେସିନରୁ ଧୂଆଁ ଛଡାଯିବ ଏବଂ ଯେଉଁଠି ନାଳ ପାଣି ଜମି ରହୁଛି ତାକୁ ସଫା କରାଯିବ ବୋଲି ଏନ୍ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ସୂଚନା ଦେଇଛନ୍ତି l
The post ବୁଗୁଡ଼ାରେ ମଶାଙ୍କ ପ୍ରାଦୁଭାବ ବୃଦ୍ଧି, ଡେଙ୍ଗୁ ଆଶଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3zYdEcv
0 Comments