
ନୟାଗଡ଼ : କଠିନ ପରିଶ୍ରମର ଫଳ କେବେ ବୃଥା ଯାଏନି। ଦିନେ ନା ଦିନେ ଏହା ଲୋକଲୋଚନକୁ ଆସେ, ସଭିଁଙ୍କ ଦୃଷ୍ଟି ଆକର୍ଷଣ କରେ। ଠିକ୍ ଏଭଳି ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ନୀଳମାଧବ ପୀଠ କଣ୍ଟିଲୋ ବାସିନ୍ଦା ଅନ୍ତର୍ଯ୍ୟାମୀ ସାହୁ ଓରଫ୍ ଗଛ ସାର୍ (୭୪)ଙ୍କ କ୍ଷେତ୍ରରେ। ଷଷ୍ଠ ଶ୍ରେଣୀରେ ପଢ଼ିବା ଦିନରୁ ପରିବେଶ ସୁରକ୍ଷା ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର କାର୍ଯ୍ୟ ଦିନେ ସାରା ଓଡ଼ିଶାରେ ପହଞ୍ଚୁ, ସମସ୍ତେ ପରିବେଶ ସୁରକ୍ଷା ଦିଗରେ ଆଗଭର ହୁଅନ୍ତୁ ସେ ଚାହୁଥିଲେ। ଏଭଳି ସ୍ଥିତିରେ ଗଣମାଧ୍ୟମରୁ ତାଙ୍କ କାର୍ଯ୍ୟ ବିଷୟରେ ସୂଚନା ପାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଛ ସାର୍ଙ୍କୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି। ତାଙ୍କ କାର୍ଯ୍ୟ ବିଷୟରେ ଏଭଳି ପ୍ରଶଂସା ତାଙ୍କୁ ବେଶ୍ ଆନନ୍ଦ ଦେଇଛି। ତାଙ୍କ କାର୍ଯ୍ୟ ଏବେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଗଛ ସାର୍ କହିଛନ୍ତି।
ସିଏମ୍ଓ ପକ୍ଷରୁ ଟୁଇଟ୍ କରି ଲେଖାଯାଇଛି, ‘‘ସର୍ବସାଧାରଣ ସ୍ଥାନରେ ହଜାର ହଜାର ଗଛ ଲଗାଇଥିବା ନୟାଗଡ଼ କଣ୍ଟିଲୋର ଅନ୍ତର୍ଯ୍ୟାମୀ ସାହୁଙ୍କୁ ପ୍ରଶଂସା। ପରିବେଶ ତଥ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତାଙ୍କର ଏ ଅଭିଯାନ ସମସ୍ତଙ୍କ ପାଇଁ ଉଦାହରଣ।’’ ସେଇଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି, ‘‘ଗଛ ସାର୍ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି। ସବୁଜ ବଳୟ ସଷ୍ଟି କରିବା ତାଙ୍କର ନିଶା ପାଲଟି ଯାଇଛି। ପରିବେଶ ସୁରକ୍ଷା ନେଇ ଆଙ୍କିଥିବା ଚିତ୍ର ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି। ସେ ଆହୁରି ଶକ୍ତିଶାଳୀ ହୁଅନ୍ତୁ।’’
ଉଲ୍ଲେଖଯୋଗ୍ୟ, ଶ୍ରୀ ସାହୁ ପେଷାରେ ସରକାରୀ ଶିକ୍ଷକ ଥିଲେ। ତାଙ୍କର ଶିକ୍ଷକତା ଜୀବନ ବୌଦ୍ଧ, ଯାଜପୁର ଆଦି ଜିଲ୍ଲାରେ କଟିଛି। ଶିକ୍ଷକତା କରୁଥିବା ବେଳେ ମଧ୍ୟ ସେ ଗଛ ଲଗାଇବା ନିଶାରୁ ଓହରିନଥିଲେ। ଅବସର ପରେ ଏ ନିଶା ଆହୁରି ବଢ଼ିଯାଇଛି। କଣ୍ଟିଲୋ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ, ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ବିଶ୍ବାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନ ନାମରେ ଦୁଇଟି ବଡ଼ ବଗିଚା ସେ ପ୍ରତିଷ୍ଠା କରିଛନ୍ତି।

ସେ ପ୍ରଥମେ (୧୯୬୧) ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ କଣ୍ଟିଲୋ ନଡ଼ିଆପୋଖରୀ ହୁଡ଼ାରେ ଲଗାଇଥିବା ବରଗଛ ଆଜି ମଧ୍ୟ ଦଣ୍ଡାୟମାନ। କେବଳ ବୃକ୍ଷରୋପଣ ନୁହେଁ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ମଧ୍ୟ ସେ କାର୍ଯ୍ୟ କରନ୍ତି। ଏଥିନେଇ ସେ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ‘ଚେତନା’ ନାମରେ ଅନୁଷ୍ଠାନଟିଏ ମଧ୍ୟ ଗଢ଼ିଛନ୍ତି। ବନ ବନ୍ଧୁ ପୁରସ୍କାର (୧୯୯୦), ପ୍ରକୃତି ବନ୍ଧୁ(୧୯୯୫), ପ୍ରକୃତି ବନ୍ଧୁ (୨୦୧୩), ୨୦୧୬ରେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର ପାଇଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି, କିନ୍ତୁ ଯେଉଁ ଗଛର ଫଳ ଖାଇ ପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷରୋପଣ କରାଯାଉନଥିବାରୁ ଗଛ ସାର୍ କ୍ଷୋଭ ପ୍ରକାଶ କରିଛନ୍ତି। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଗଛ ସାର୍ କହିଛନ୍ତି। ପରିବେଶ ଭିତରେ ଆମେ ବଞ୍ଚୁଛେ, ବଢ଼ୁଛେ, ମୃତ୍ୟୁ ପୂର୍ବରୁ ଆମେ ଭବିଷ୍ୟତ ପିଢ଼ି ପାଇଁ ସେଇଭଳି ଏକ ସୁରକ୍ଷିତ ପରିବେଶକୁ ଛାଡ଼ିଯିବା। ମଣିଷ ସହିତ ପଶୁପକ୍ଷୀଙ୍କ ନିମନ୍ତେ ପରିବେଶ ଯେଭଳି ଉପଯୋଗୀ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ସହ ସମସ୍ତେ ବୃକ୍ଷରୋପଣ କରିବା ଦରକାର ବୋଲି ଗଛ ସାର୍ କହିଛନ୍ତି।
The post ଗଛ ସାର୍ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶଂସା first appeared on Sambad.from ଜିଲ୍ଲା | Sambad https://ift.tt/2U3bHvP

0 Comments