ଧର୍ମଶାଳା : ସପ୍ତାହାନ୍ତ ସଟ୍‌ଡାଉନରେ ବେପାର କରୁଥିବା ୬ଟି ଦୋକାନକୁ ପ୍ରଶାସନ ତରଫରୁ ସିଲ୍‌ କରାଯାଇଛି। ଧର୍ମଶାଳା ବ୍ଲକ୍‌ ଅଞ୍ଚଳର ବିଭିନ୍ନ ଛକବଜାରରେ ବେପାର ଚାଲିଥିବା ଖବର ପାଇ ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଥାନାଧିକାରୀ ସରୋଜ କୁମାର ସାହୁ ଓ ଜାରକା ପୁଲିସ ବିଟ୍‌ ହାଉସ୍‌ ଅଧିକାରୀ ରାଜକିଶୋର ନାୟକ ସଦଳବଳ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ଜାରକା, ଶାନ୍ତିବଜାର ଓ କାଏମା ବଜାରର ୬ଟି ଦୋକାନକୁ ସିଲ୍‌ କରାଯାଇଥିଲା। ତେବେ ଚଢ଼ଉ ଖବର ପାଇ ଅନ୍ୟ କେତେକ ଅସାଧୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦକରି ଚମ୍ପଟ ମାରିଥିଲେ।

ଏହି ସ୍କ୍ବାଡ୍‌ ଜାରକାର ଏକ ଫର୍ଣ୍ଣିଚର ଦୋକାନ, ତେଜରାତି, ପାନ ଓ ଲୁଗା ଆଦି ୪ଟି ଦୋକାନକୁ ସିଲ୍‌ କରିଥିଲା। ସେହିପରି ଶାନ୍ତିବଜାରର ଏକ ଡ୍ରେସ୍‌ ଦୋକାନ ଓ କାଏମାର ଗୋଟିଏ ଭେରାଇଟି ଷ୍ଟୋରକୁ ମଧ୍ୟ ସିଲ୍‌ କରାଯାଇଥିଲା। ଲକ୍‌ଡାଉନ୍‌ କୋହଳ ହେବା ସତ୍ତ୍ବେ ବ୍ୟବସାୟୀମାନେ ପ୍ରଶାସନିକ କଟକଣାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ବାରମ୍ବାର ଜରିମାନା ଆଦାୟ ଓ ଦୋକାନ ସିଲ୍‌ କରାଯାଉଥିଲେ ମଧ୍ୟ ଅମାନିଆ ବ୍ୟବସାୟୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଏବେ ବିବାହ ଉତ୍ସବ ଚାଲିଥିବାରୁ ସେମାନେ ସଟ୍‌ଡାଉନରେ ବି ବେପାର କରିବାକୁ ପଛାଉ ନାହାନ୍ତି। ସେହିପରି ଧର୍ମଶାଳା ବଜାର, ନେଉଳପୁର, ନାକପୋଲ, ଆରୁହା ସମେତ ଗ୍ରାମାଞ୍ଚଳର ବିଭିନ୍ନ ଛକ ବଜାରରେ କୋଭିଡ୍‌ କଟକଣାକୁ କେହି ଭୃକ୍ଷେପ କରୁନଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

The post ସଟ୍‌ଡାଉନରେ ବେପାର, ୬ ଦୋକାନ ସିଲ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3ypsvfh