ସମ୍ବଲପୁର: ସବୁଠି ମାତିଛନ୍ତି ସାଇବର୍‌ ଲୁଟେରା। ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ଲୋକ ଏହି ସାଇବର୍‌ ଲୁଟେରାଙ୍କ ଲୁଟ୍‌ର ଶିକାର ହୋଇସାରିଛନ୍ତି। ବହୁତ କମ୍‌ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ମିଳିଥିବାବେଳେ ଅନେକ ଲୋକଙ୍କ ଟଙ୍କା ମିଳିବା ସମ୍ଭବ ହୋଇନାହିଁ। ଏହି ଲୁଟେରାମାନେ ପୁଲିସ ବିଭାଗର ନିଦ ହଜାଇ ଦେଇଛନ୍ତି। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଆକ୍‌ଟିଭେଟ୍‌ ହୋଇଯାଇଛି, ଆପଣଙ୍କ ଏଟିଏମ୍‌ ବୈଧତା ସରିଯାଇଛି, ରିଵାର୍ଡ ମିଳିଛି ଏଭଳି କଥା ସବୁ କହି ଲୋକଙ୍କୁ ଠକି ଆସିଛନ୍ତି ସାଇବର୍‌ ଲୁଟେରା। କିନ୍ତୁ ଏବେ ଏହି ଲୁଟେରାମାନେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ଲୋକଙ୍କୁ ଠକିବା ଆରମ୍ଭ କଲେଣି। ଏସ୍‌ବିଆଇ ୟୋନୋର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଭଳି ନକଲ କରି ଏକ ୱେବସାଇଟ୍‌ ତିଆରି କରି ଲୋକଙ୍କୁ ଆକାଉଣ୍ଟ ଭେରିଫିକେସନ୍‌, କେଵାଇସି ଅପଡେଟ୍‌ ପାଇଁ ମେଲ୍‌, ମେସେଜ୍‌ ମାଧ୍ୟମରେ ପଠାଯାଉଛି। ଏଭଳି ଠକ ୱେବ୍‌ସାଇଟ୍‌ ନଜରକୁ ଆସିବା ପରେ ଏଭଳି ଵେବ୍‌ସାଇଟ୍‌ ପ୍ରତି ସାବଧାନ ରହିବା ପାଇଁ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି।

ନକଲି ବୋଲି ଜାଣିବେ କେମିତି?
କେବଳ ଏସ୍‌ବିଆଇ ନୁହେଁ, ଆହୁରି ଅନେକ ଫେକ୍‌ ୱେବ୍‌ସାଇଟ୍‌ ମାଧ୍ୟମରେ ସାଇବର୍‌ ଲୁଟେରାମାନେ ଲୁଟିବାକୁ ପ୍ରୟାସ କରୁଛନ୍ତି। ବିଭିନ୍ନ ସପିଂ ସାଇଟ୍‌ ଭଲି ୱେବ୍‌ସାଇଟ୍‌ କରି ଜିନିଷ କମ୍‌ ଦାମରେ ଦର୍ଶାଯାଇ ମଧ୍ୟ ଲୁଟ ହେଉଥିବା ଅଭିଯୋଗ ହୋଇଛି। ତେବେ ନକଲି ୱେବସାଇଟ୍‌ ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ ଅସଲି ୱେବ୍‌ସାଇଟ୍‌ ଉପରେ ସାମାନ୍ୟ ଧାରଣା ରହିବା ଜରୁରୀ। ୱେବ୍‌ସାଇଟ୍‌ର ଆଡ୍ରେସ୍‌ ବା ୟୁଆର୍‌ଏଲ୍‌ରୁ ହିଁ ଏହା ଅସଲି କି ଫେକ୍‌ ତାହା ଜାଣିପାରିବେ। ଯେମିତିକି ଏସ୍‌ବିଆଇ ୟୋନୋର ଅଫିସିଆଲ୍‌ ୱେବ୍‌ସାଇଟ୍‌ ହେଉଛି ‘www.sbiyono.sbi’ । କିନ୍ତୁ ଫେକ୍‌ ଭାବେ ଡିଜାଇନ୍‌ କରାଯାଇଥିବା ୱେବ୍‌ସାଇଟ୍‌ର ୟୁଆର୍‌ଏଲ୍‌ ‘pleasehelp.co.in’ ରହିଛି। ଯାହାକୁ ଦେଖି ଆପଣ ସହଜରେ ଫେକ୍‌ ୱେବ୍‌ସାଇଟ୍‌ ଜାଣିପାରିବେ।

The post ଫେକ୍‌ ଏସ୍‌ବିଆଇ ୱେବ୍‌ସାଇଟ୍‌ କରି ସାଇବର୍‌ ଲୁଟ୍‌ ଉଦ୍ୟମ, ସତର୍କ କରାଇଲେ ସମ୍ବଲପୁର ଏସ୍‌ପି first appeared on Sambad.

from ଜିଲ୍ଲା | Sambad https://ift.tt/3AZF6I5