କଟକ : କୋଭିଡ୍‌ର ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦ ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାର କିଭଳି ସଫଳ ମୁକାବିଲା କରାଯିବ, ସେ ଦିଗରେ ଆଗୁଆ ପଦକ୍ଷେପ ସ୍ବରୂପ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶିଶୁ ରୋଗ ବିଶେଷଜ୍ଞମାନଙ୍କ କୋଭିଡ୍ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଡାକ୍ତର, ନର୍ସ ତଥା ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କୋଭିଡର ଦ୍ବିତୀୟ ଲହରରେ ଡାକ୍ତର ତଥା ପାରାମେଡିକାଲ କର୍ମଚାରୀଙ୍କ କାର୍ଯ୍ୟ ଅନେକ ଜୀବନ ବଂଚାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଶିଶୁମାନଙ୍କ କୋଭିଡ୍ ସଂକ୍ରମଣ ଆଶଙ୍କା ସ୍ଥିତିରେ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ ଏବଂ ଏ ଦିଗରେ ଆବଶ୍ୟକ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତିକୁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ।

ଯଦି ଶିଶୁମାନଙ୍କ ଉପରେ କରୋନାର ପ୍ରଭାବ ପଡ଼େ, ତାହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିବ, ତେଣୁ ସମସ୍ତେ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମଗ୍ର ବିଶ୍ବ କୋଭିଡରେ ପ୍ରଭାବିତ ହୋଇଆସିଛି। କୋଭିଡ ମୁକାବିଲା ପାଇଁ ରାଜ୍ୟ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସରକାରୀ ତଥା ଘରୋଇ ହସ୍ପିଟାଲ ଜରିଆରେ କୋଭିଡ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ସ୍ବଳ୍ପ ସମୟ ମଧ୍ୟରେ ଡାକ୍ତର, ନର୍ସ ତଥା ଅନ୍ୟ ଆଗଧାଡିର କର୍ମୀମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଆୟୋଜନ କରି ପ୍ରଶାସନ ପ୍ରଶଂସନୀୟ ପଦକ୍ଷେପ ନେଇଛି। କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ଜନସାଧାରଣ ମଧ୍ୟ ସହଯୋଗ ଦେଇ ଆସୁଛନ୍ତି। ଏଣୁ ଏକଜୁଟ୍ ହୋଇ କାର୍ଯ୍ୟକଲେ ଆମେ ଏହି ସମସ୍ୟାରୁ ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ତାଲିମ କାର୍ଯ୍ୟକ୍ରମ ସରକାରଙ୍କ ୫-ଟି ଯୋଜନା ଅନ୍ତର୍ଗତ ଟେକ୍ନୋଲୋଜି ଆଉ ଟିମ୍ ୱାର୍କ ଆଧାରରେ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ରୁ ଡାକ୍ତର ସାଗର ଦଳାଇ, ଗଂଜାମରୁ ଡାକ୍ତର ଶରତ ଚନ୍ଦ୍ର ସାମଲ ଓ କଟକରୁ ଡାକ୍ତର ଜ୍ୟୋତି ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଏହି ତାଲିମ କାର୍ଯ୍ୟକ୍ରମର ଉପଯୋଗିତା ସଂପର୍କରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ବିଏସ୍‌ ପୁନିଆ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କୋଭିଡ୍ ତାଲିମ ଓ ସଚେତନତା ସଂପର୍କିତ ବିଭିନ୍ନ ପୁସ୍ତିକା ଓ ଭିଡିଓକୁ ଏହି ଅବସରରେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ସମେତ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତି ଥିଲେ।

ଆଜିର ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ୩୧୭ ବ୍ଲକ୍‌ ଓ ୫୦ଟି ଉପଖଣ୍ଡ ଚିକିତ୍ସାଳୟର ପ୍ରାୟ ଏକ ହଜାର ଡାକ୍ତର ଏସ୍‌ସିବି ମେଡିକାଲ କଲେଜ ସହିତ ଯୋଡ଼ିହୋଇ ତାଲିମ ନେଇଥିଲେ। ଏସ୍‌ସିବି ଦକ୍ଷତା ବିକାଶ ଟିମ୍‌ର ବିଶେଷଜ୍ଞମାନେ ଡାକ୍ତରମାନଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ତାଲିମ ଦେଇଥିଲେ। କୋଭିଡ୍‌ର ରାଜ୍ୟ ବୈଷୟିକ ପରାମର୍ଶଦାତା ତଥା ଏସ୍‌ସିବି ମେଡିକାଲ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଶିଶୁଭବନର ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର, ଶିଶୁରୋଗ ବିଶେଷଜ୍ଞ ଆସୋସିଏଟ୍‌ ପ୍ରଫେସର ଡାକ୍ତର ମାନସ ଉପାଧ୍ୟାୟ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି, ଡାକ୍ତର ପ୍ରଭାତ କୁମାର ଥାଟ୍ଟୋଇ ପ୍ରମୁଖ ଡାକ୍ତରମମାନଙ୍କୁ ତାଲିମ ଦେଇଥିଲେ ଓ ସେମାନଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

The post ‌ଶିଶୁରୋଗ ବିଶେଷଜ୍ଞଙ୍କ କୋଭିଡ୍‌ ଚିକିତ୍ସା ତାଲିମ୍‌ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3wfo1Gg