ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପତ୍ନୀଙ୍କ ଶବ ଏକୁଟିଆ ବୋହିବା ଘଟଣାରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ମହିଳା ଭେଷଜ ୱାର୍ଡ ଦାୟିତ୍ବରେ ଥିବା ଷ୍ଟାଫ୍‌ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ୍‌ ପ୍ରିୟଙ୍କା ମୁଖିଙ୍କୁ ନିଲମ୍ବିତ କରିଥିବା ବେଳେ ହେଲ୍‌ପ ଡେସ୍କ୍‌ କର୍ମଚାରୀ ଅଜିତ କହଁରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଗତକାଲି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଫିରିଙ୍ଗିଆ ବ୍ଲକ୍‌ ମୋଦିଙ୍ଗିଆର ବାଳକୃଷ୍ଣ କହଁରଙ୍କ ପତ୍ନୀ ଋତୁମତୀ କହଁରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଋତୁମତୀଙ୍କର ମୃତ୍ୟୁ ପରେ ମେଡିକାଲ କର୍ମଚାରୀ ଶବକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ଚାଲିଯାଇଥିଲେ। ଫଳରେ ଶବଟି ଦୀର୍ଘ ସମୟ ଧରି ବାହାରେ ପଡ଼ି ରହିଥିଲା। କାହାରି ସହଯୋଗ ନପାଇ ଶେଷରେ ବାଧ୍ୟ ହୋଇ ସ୍ବାମୀ ବାଳକୃଷ୍ଣ ଶବକୁ ମହାପ୍ରୟାଣ ଗାଡ଼ି ନିକଟକୁ ଏକୁଟିଆ ବୋହିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ଅଭିଯୋଗ ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ ପରିସରରେ ଥିବା ହେଲ୍‌ପ ଡେସ୍କରେ ବହୁ ସଂଖ୍ୟକ କର୍ମଚାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଏମାନେ ରୋଗୀମାନଙ୍କୁ ସହାୟତା ବଦଳରେ ସବୁବେଳେ ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ରହୁଛନ୍ତି। ହେଲ୍‌ପ ଡେସ୍କ୍‌ର କାର୍ଯ୍ୟକଳାପ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ସୁବ୍ୟବସ୍ଥିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ଏକୁଟିଆ ପତ୍ନୀଙ୍କ ଶବ ବୋହିବା ଘଟଣା: ଷ୍ଟାଫ୍‌ ନର୍ସ, ଆଟେଣ୍ଡାଣ୍ଟ୍‌ ନିଲମ୍ବିତ, ଜଣେ ବହିଷ୍କୃତ first appeared on Sambad.

from ଜିଲ୍ଲା | Sambad https://ift.tt/2UeKiXD