ଜୟପୁର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହୋଇଛି ‘ବଳରାମ’ ଯୋଜନା। ତେବେ ଏହା ଜୟପୁରରେ ଫେଲ୍ ମାରିଛି। ଗତ ୬ମାସ ହେବ ଜୟପୁର ବ୍ଲକର ବାରିଣୀପୁଟ ପଂଚାୟତର ବଡ଼ିଗୁଡାର ୩ଟି ଦଳ, ବି.ମାଳିଗୁଡା, ବାରିଣୀପୁଟ, ମୁଣ୍ଡିଗୁଡାର ଗୋଟିଏ ଲେଖାଏଁ ଜଏଣ୍ଟ ଲିଆବିଲିଟ୍ ଗ୍ରୁପ୍‌ ଗତ ୬ମାସ ହେବ ବ୍ୟାଙ୍କ ଓ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଦଉଡି ଦଉଡ଼ି ନୟାନ୍ତ ହୋଇ ପଡ଼ିଛନ୍ତି। ଆଜି ଏହି ୬ଟି ଦଳର ଭୂମିହୀନ ଚାଷୀ ମାନେ  ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ ।

ସୂଚନାଯୋଗ୍ୟ,  ଗତ ଜୁନ ୨୦୨୦ରେ ରାଜ୍ୟସରକାର ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖିଥିଲା। ଭୂମିହୀନ ଚାଷୀଙ୍କୁ ନେଇ ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯିବ। ଜିଲ୍ଲାସ୍ତରରେ ‘ଆତ୍ମା’ ଏହି ଯୋଜନାକୁ ସଂଯୋଜନା କରିବ। ପ୍ରତି ଗ୍ରୁପକୁ ଲକ୍ଷେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ଯୋଜନା କରାଯାଇଥିଲା। ଏହି କ୍ରମରେ ଜୟପୁର ବ୍ଲକର ବାରିଣୀପୁଟ ପଂଚାୟତର କୃଷକ ସାଥୀ କୃପା ସ୍ବାଇଁ ବଡ଼ିଗୁଡା, ବି.ମାଳିଗୁଡା, ବାରିଣୀପୁଟ, ମୁଣ୍ଡିଗୁଡାରେ ଏହି ଗ୍ରୁପ୍ ଗଠନ କରିଥିଲେ। କାଗଜପତ୍ର ପ୍ରସ୍ତୁତି କରି ଦାଖଲ କରିଥିଲେ। ଏହି ଗ୍ରୁପ୍ ଗୁଡ଼ିକୁ ସ୍ଥାନୀୟ ଆନ୍ଧ୍ର ବ୍ୟାଙ୍କରେ ଋଣ ଦିଆଯିବ ବୋଲି କୁହାଯାଇଥିବା କହିଛନ୍ତି କୃଷକ ସାଥୀ ଶ୍ରୀ ସ୍ବାଇଁ, ବତୀ ମାଳି, ରଘୁ ନାଥ ମାଳି, କୌଶଲ୍ୟା ମାଳି, ଦୈତାରୀ ମାଳି, ଲଛମନ ପରଜା, ହେମନ୍ତ ଖୋସ୍ଲା, ନିଳାମ୍ବର ମାଳି । ଏମାନେ ବାରମ୍ବାର ବ୍ୟାଙ୍କକୁ ଯିବା ପରେ ବ୍ୟାଙ୍କ ପକ୍ଷରୁ ଆଜି କାଲି ଦିଆଯିବ ବୋଲି ବୁଲାଇ ଥିଲେ। ଏହାରି ମଧ୍ୟରେ ଏହି ଚାଷୀ ମାନେ ବ୍ୟାଙ୍କ ଓ କୃଷି କାର୍ଯ୍ୟାଳୟକୁ ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ। ରବି ସରି ଖରିଫ ଆରମ୍ଭ ହୋଇଥିଲେ ହେଁ ଏମାନଙ୍କୁ ଋଣ ମିଳି ନଥିଲା। ଅନ୍ୟ ପକ୍ଷରେ ବ୍ୟାଙ୍କ ପକ୍ଷରୁ ଋଣ ଦିଆଯିବ ନାହିଁ ବୋଲି କହିଥିବା କହିଛନ୍ତି ଚାଷୀ। ଚାଷୀ ମାନେ ନିରାଶ ହେବା ସହ ଆଜି ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଥିଲେ। ବ୍ଲକ କୃଷି ଅଧିକାରୀ ଚାଷୀଙ୍କୁ ଋଣ ମିଳିନଥିବା ସଂପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରିବା ସହ କିଭଳି ଲ୍ୟାମ୍ପ ମାଧ୍ୟମରେ ଏହି ଋଣ ମିଳିବ ସେ ନେଇ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଚାଷୀ ମାନେ କହିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି।

The post ବଳରାମ ଯୋଜନା ବାଟବଣା: ଭୂମିହୀନ ଚାଷୀଙ୍କୁ ମିଳୁନି ଋଣ first appeared on Sambad.

from ଜିଲ୍ଲା | Sambad https://ift.tt/3jODL0u