
ଶାଳଚୁଆ/ଖଇରା: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର (୩୨) ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ଅନୈତିକ ସଂପର୍କକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପୁଅ ମୃତ୍ୟୁର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ସେପଟେ ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ତା। ଏହି ଅଘଟଣ ପରେ ସେ ନିଜ ବାପଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଗୌଡ଼ଗାଁକୁ ଫେରି ଆସିଛନ୍ତି। ସ୍ବାମୀଙ୍କ ଅପ୍ରତ୍ୟାଶିତ ମୃତ୍ୟୁରେ ସେ ମାନସିକ ଭାରସାମ୍ୟ ହରାଇଥିବାବେଳେ ତାଙ୍କ ନାଁରେ ମିଛ ଅପବାଦ କରାଯାଉଥିବା କହିଛନ୍ତି।

ଘଟଣା ଦିନ ରାତିର କଥା ବର୍ଣ୍ଣନା କରିବାକୁ ଯାଇ ବିଦ୍ୟାଭାରତୀ କହିଛନ୍ତି, ଆମ ସ୍ବାମ-ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଖୁବ୍ ନିବିଡ଼ ଥିଲା। ଗୋଟିଏ ଥାଳିରେ ଖାଉଥିଲୁ, ପରସ୍ପରକୁ ବହୁତ ଭଲପାଉଥିଲୁ। ଘଟଣା ଦିନ ମୁଁ ମୋବାଇଲରେ ଗେମ୍ ଖେଳୁଥିଲି। ସୌମ୍ୟ ବି ମୋ ପାଖରେ ବସି ସବୁବେଳେ ଗେମ୍ ଖେଳୁଥାଅ ବୋଲି କହି ଥଟ୍ଟାମଜା କରୁଥିଲେ। କିଛି ସମୟ ପରେ ତାଙ୍କ ଖାଇବା ସମୟ ହୋଇଯିବାରୁ ମୁଁ ରୋଷେଇ ଘରକୁ ଖାଇବା ବାଢ଼ିବାକୁ ଯାଇଥିଲି। ଖାଇବା ବାଢ଼ି ଆସିବା ବେଳକୁ ସୌମ୍ୟଙ୍କ ସାର୍ଟରେ ନିଆଁ ଲାଗିଯାଇଥିଲା। ମୁଁ ସଙ୍ଗେ ସଙ୍ଗେ ସାର୍ଟକୁ ଖୋଲିଲା ପାଇଁ ଚେଷ୍ଟା କଲାବେଳେ ମୋ ହାତ ଫୋଟକା ହୋଇ ଯାଇଥିଲା। ବୁଦ୍ଧିବାଟ ନପାଇ ବାଥ୍ରୁମକୁ ପାଣି ଆଣିବା ପାଇଁ ଦୌଡ଼ିଗଲା ବେଳେ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିଲି। ସେଠାରୁ ଉଠି କବାଟ ଖୋଲି ବାହାରେ ପାଟି କରି ଲୋକଙ୍କୁ ଡାକିଲା ପରେ ସମସ୍ତେ ପହଞ୍ଚି ସୌମ୍ୟଙ୍କୁ ଡାକ୍ତରଖାନାକୁ ନେଇଥିଲୁ। ହେଲେ ସ୍ବାମୀଙ୍କର ମୃତ୍ୟୁ ଘଟିଲା। ଆଉ ଏବେ ମୋ ଶାଶୂଘର ଲୋକ ମିଛ ଆରୋପ ଲଗାଉଛନ୍ତି। ଡିଏଫ୍ଓ ଓ ରୋଷେୟାଙ୍କ ସହ ମିଳି ମୁଁ ସୌମ୍ୟଙ୍କୁ ମାରିଥିବା କଥା ସମ୍ପୂର୍ଣ୍ଣ ମିଛ।

ପ୍ରକାଶଥାଉକି, ବାଲେଶ୍ବର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ କନିଷ୍ଠପୁତ୍ର ହେଉଛନ୍ତି ସୌମ୍ୟରଞ୍ଜନ। ଓଡ଼ିଶା ବନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦୁଇ ବର୍ଷ ତାଲିମ ନେବା ପରେ ୨୦୨୦ ମେ ୨୦ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ (ଏସିଏଫ୍) ଭାବେ ନିଯୁକ୍ତି ପାଇଥିଲେ। ୨୦୨୦ ଡିସେମ୍ବର ୧ ତାରିଖରେ କପ୍ତିପଦା ଥାନା ଗୌଡ଼ଗାଁ ଗ୍ରାମର ଶ୍ରୀହରି ପଣ୍ଡାଙ୍କ କନ୍ୟା ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ବିବାହ ହୋଇଥିଲା। ଗତ ୧୨ ତାରିଖରେ ସୌମ୍ୟରଞ୍ଜନ ନିଆଁରେ ପୋଡି ହୋଇ ଗୁରୁତର ହେବା ପରେ କଟକ ବଡ଼ ଡାକ୍ତରଖାନା ଏବଂ ପରେ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଓ ବଡଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଡିଏଫଓ, ରୋଷେୟା ଓ ବିଦ୍ୟାଭାରତୀଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
The post ମୁହଁ ଖୋଲିଲେ ସୌମ୍ୟରଞ୍ଜନଙ୍କ ପତ୍ନୀ; ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି, ମିଛ ଅପବାଦ କରାଯାଉଛି first appeared on Sambad.from ଜିଲ୍ଲା | Sambad https://ift.tt/3i39YP2
0 Comments