
କାଳିଆପାଣି : ରାଷ୍ଟ୍ରୀୟ ଡାକ୍ତର ଦିବସର ଠିକ୍ ଦିନକ ପୂର୍ବରୁ କାଳିଆପାଣି ଥାନା ଅନ୍ତର୍ଗତ ଟିଏସ୍ଏମଏଲ୍ ସାରୁଆବିଲ ଡାକ୍ତରଖାନାରେ କର୍ତ୍ତବ୍ୟରତ ଜଣେ ଡାକ୍ତରଙ୍କ ପ୍ରତି ଦୁର୍ବ୍ୟବହାର ଓ ଧମକ ଦେବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ କିଛି ଆଦିବାସୀ ଯୁବକଙ୍କ ବିରୋଧରେ ଟାଟା ଗ୍ରୁପ୍ ଟିଏସ୍ଏମ୍ଏଲ୍ କମ୍ପାନିର ନିରାପତ୍ତା ଅଧିକାରୀ ସ୍ନେହାଶିଷ ସାହୁ ଗତକାଲି ଥାନାରେ ଏତଲା ଦାଏର କରିଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ଆଇପିସି ଦଫା ୪୪୮, ୫୦୬, ୩୪ ଏବଂ ଚିକିତ୍ସକ ସୁରକ୍ଷା ଓ ଦୁର୍ବ୍ୟବହାର ନିରୋଧ ଆଇନ(୪), ୨୦୦୮ ଆଧାରରେ ଥାନାରେ ଏକ କେସ୍ ୬୬/୨୧ ରୁଜୁ ହୋଇଛି। ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳକୁ ଯାଇ ସଂପୃକ୍ତ ଡାକ୍ତରଙ୍କ ମତାମତ ସଂଗ୍ରହ କରିବା ସହ ଏ ସଂକ୍ରାନ୍ତରେ ଏକାଧିକ କର୍ମଚାରୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ପୁଲିସ ଆଜି ଅଭିଯୁକ୍ତମାନଙ୍କୁ ଥାନାକୁ ଡକାଇ ଚେତାବନୀ ଦେବା ସହ ନୋଟିସ୍ ଦେଇଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଅଭିଯୁକ୍ତ ତାଲିକାଭୁକ୍ତ ସ୍ଥାନୀୟ ଆଦିବାସୀ ପ୍ରତିନିଧି ଶମ୍ଭୁ ମୁର୍ମୁଙ୍କୁ ପଚାରିବାରେ ସାରୁଆବିଲ ଡାକ୍ତରଖାନାରେ ମାତ୍ର ୨ମାସ ତଳେ ଫାର୍ମାସିଷ୍ଟ୍ ଭାବେ ନିଯୁକ୍ତି ପାଇଥିବା ସେହି ଗାଁର ଜଣେ ଆଦିବାସୀ ଯୁବକଙ୍କୁ ଚାକିରିରୁ ବହିଷ୍କାର ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବା କହିଥିଲେ। ଦି’ମାସ ଧରି ସେ ଡ୍ୟୁଟି କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଦରମା ନମିଳିବା ପ୍ରତିବାଦରେ ଯୁବକ ଜଣକ ଗାଁ କମିଟିରେ ଫେରାଦ୍ ହୋଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଆଖପାଖ ଏକାଧିକ ଗାଁର ୧୦ ରୁ ଅଧିକ ଯୁବକ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଏହାର କାରଣ ପଚାରିଥିଲେ ବୋଲି ସେ କହିଥିଲେ। ଯୁବକଙ୍କୁ ପୁନଃ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଡାକ୍ତରଖାନା ବନ୍ଦ ରଖିବାକୁ ଯୁବକମାନେ ଚେତାବନୀ ଦେଇଥିବା ଜଣାପଡ଼ିଛି।
The post ଡାକ୍ତରଙ୍କୁ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ first appeared on Sambad.from ଜିଲ୍ଲା | Sambad https://ift.tt/2UXyIk6
0 Comments