
ଅନ୍ୟ ସ୍ଥାନର ହେବ ଲେଜର ସ୍କାନିଂ
ରୁପାଦ୍ବାର ସଂଯୋଗ ପାଇଁ ଖୁବ୍ଶୀଘ୍ର ଅନୁମତି
ପୁରୀ : ଚଳିତବର୍ଷ ହେବନି ଶ୍ରୀମନ୍ଦିର ଗର୍ଭଗୃହର ଲେଜର ସ୍କାନିଂ। ରବିବାର ଦିନ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। କେବଳ ଅନ୍ୟ ପ୍ରସ୍ତାବିତ ସ୍ଥାନମାନଙ୍କର ଲେଜର ସ୍କାନିଂ ହେବ। ଚଳିତବର୍ଷ ଲେଜର ସ୍କାନିଂର ଫଳାଫଳ କ’ଣ ଆସୁଛି ଅନୁଧ୍ୟାନ କରାଯିବ। ଯଦି ଫଳାଫଳ ଭଲ ଆସେ, ତେବେ ଆସନ୍ତାବର୍ଷ ଗର୍ଭଗୃହର ଲେଜର ସ୍କାନିଂ ହେବ ବୋଲି ଡ. କୁମାର କହିଛନ୍ତି। ଅନ୍ୟପଟେ ଖୁବଶୀଘ୍ର ରୁପାଦ୍ବାର ସଂଯୋଗର ଅନୁମତି ପ୍ରତ୍ନତତ୍ତ୍ବ ବିଭାଗ ଦେବାକୁ ଯାଉଛି ବୋଲି ଡ. କୁମାର କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ରବିବାର ଦିନ ରଥଯାତ୍ରା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବା ସହ ସେବାୟତଙ୍କ ସୁବିଧା ଅସୁବିଧା ବୁଝିଛନ୍ତି। ନିଜେ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି। ଏହି ଅବସରରେ ସୂଚନା ଦେଇ ଡ. କୁମାର କହିଛନ୍ତି, ‘ ଆଜି ସଅଳ ନୀତିକାନ୍ତି ଚାଲିଛି। ସେହି ଅନୁଯାୟୀ ଆସନ୍ତାକାଲି ବି ସଅଳ ନୀତିକାନ୍ତି ସାରିବାକୁ ଲକ୍ଷ୍ୟ ରଖିଛୁ। ଆବଶ୍ୟକ ପଡ଼ିଲେ ସଅଳ ପହଣ୍ଡି ସହ ସଅଳ ରଥଟଣା ଆରମ୍ଭ ହୋଇପାରେ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ହେବ। ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅନୁରୋଧ କରିଥିଲା। ସେହି ହିସାବରେ ଆମେ ସମସ୍ତଙ୍କ ସହ ଆଲୋଚନା ପରେ ଏ ବର୍ଷ ଗର୍ଭଗୃହ ଛାଡ଼ି ଶ୍ରୀମନ୍ଦିରର ବାକି ସ୍ଥାନର ଲେଜର ସ୍କାନିଂ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଅନୁମତି ଦେଇଛୁ। ନାଟମଣ୍ଡପ, ଜଗମୋହନ ସହ ଅନ୍ୟାନ୍ୟ ସ୍ଥାନର ଆଗ ଲେଜର ସ୍କାନିଂ ହେବ। ଏହାର ଫଳାଫଳରୁ କେତେ ଲାଭ ମିଳୁଛି, ତାର ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।’
ସୂଚନା ଅନୁସାରେ, ମରାମତି କାମ ଅନୁଧ୍ୟାନ ପାଇଁ ଏକ ସେବାୟତ କମିଟି ଗଠନ କରାଯାଇଛି। ସେବାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମରାମତି କାମ ଆଗେଇବ। ରୁପା ଦ୍ବାର ସମ୍ପର୍କରେ ସୂଚନା ଦେଇ ଡ. କୁମାର କହିଛନ୍ତି ଯେ ନୂଆ ରୁପା ଦ୍ବାର ସଂଯୋଗ ଉପରେ ପ୍ରତ୍ନତତ୍ତ୍ବ ବିଭାଗର ଅଦ୍ୟାବଧି ଅନୁମତି ମିଳିନି। ତଥାପି ସୋମବାର ସୁଦ୍ଧା ଏହି ଅନୁମତି ମିଳିଯିବ। ଅନୁମତିପତ୍ରରେ କ’ଣ ସବୁ ନିୟମାବଳୀ ରହୁଛି, ତାହା ଆଧାରରେ କାମ ଆଗେଇବ। ପ୍ରତ୍ନତତ୍ତ୍ବ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ସହ ନିର୍ମାଣ ବିଭାଗର ଇଂଜିନିୟରମାନେ ମିଳିମିଶି ଏହି କାମ କରିବେ। ବର୍ତ୍ତମାନ ସୁଦ୍ଧା ୪ଟି ଦ୍ବାର କାମ ଶେଷ ହୋଇଗଲାଣି। ବାକି ଦ୍ବାରର ନିର୍ମାଣ କାମ ବି ଜାରି ରହିଛି। ରୁପା ଚାଦର ବି ପହଞ୍ଚି ସାରିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ବାର ଅବା ଭୋଗମଣ୍ଡପ ଦ୍ବାର ଲଗାଯିବ। ଯଦି ପରୀକ୍ଷା ସଫଳ ହେଲା, ତେବେ ପର୍ଯ୍ୟାୟକ୍ରମେ ବାକି ଦ୍ବାର ଲାଗିବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଡିଜି ବି ଆଜି ରାତିରେ ପୁରୀରେ ପହଞ୍ଚୁଛନ୍ତି। ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ. କୁମାର କହିଛନ୍ତି।
The post ଗର୍ଭଗୃହର ଲେଜର ସ୍କାନିଂ ହେବନାହିଁ, ଶ୍ରୀମନ୍ଦିର ପ୍ରଶାସନ ଦେଲାନି ଅନୁମତି first appeared on Sambad.from ଜିଲ୍ଲା | Sambad https://ift.tt/3hYBAoz
0 Comments