ରାଉରକେଲା : ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ୱିଙ୍ଗ୍‌ ୬୪୧ କୋଟି ଟଙ୍କାର ଜାଲ୍‌ ବିଲ୍‌ ରାକେଟର ପର୍ଦ୍ଦାଫାସ କରିଛି। ଜାଲ୍‌ ବିଲ୍‌ ବଳରେ ୧୧୫.୧୦ କୋଟି ଟଙ୍କା ଜିଏସ୍‌ଟି ଠକେଇ ଘଟଣାରେ ଦୁଇ ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ, ତିରୁପତି ଟ୍ରେଡର୍ସର ମ୍ୟାନେଜିଂ ପାର୍ଟନର୍‌ ଓ ଶତଗୁରୁ ମେଟାଲ୍‌ ଆଣ୍ଡ୍‌ ପାୱାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକୃତ ପ୍ରତିନିଧି ଗୁରଦିତ ଡାଙ୍ଗ ଓ ରାଉରକେଲାସ୍ଥିତ ସ୍ମାର୍ଟ ଏଜିସ୍‌ ଟ୍ରେଡ୍‌ ଭେଞ୍ଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁଜୟ ମୈତ୍ର।

ଗୁରଦିତଙ୍କୁ ରାଉରକେଲାର ଉଦିତନଗର ଅଞ୍ଚଳରୁ ଓ ସୁଜୟଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଆଜି ଗୁରଦିତଙ୍କୁ ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ୱିଙ୍ଗ୍‌ ସୂତ୍ରରୁ ପ୍ରକାଶ ଯେ ବାଲେଶ୍ବରର ଯୋଗେଶ୍ବରପୁରସ୍ଥିତ ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଅଭିଯୁକ୍ତ ଦୁଇ ବ୍ୟକ୍ତି ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ୧୬ଟି ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠା କରି ଠକେଇ କାରବାର କରୁଥିଲେ। ସେମାନଙ୍କ ଦ୍ବାରା ତିଆରି ଜାଲ୍‌ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ରାଉରକେଲା, ବଣାଇ, ସୁନ୍ଦରଗଡ଼, ଅନୁଗୁଳ, ଏରସମା ଓ ରିଆମାଳରେ ରହିଛି। ଜାଲ୍‌ କ୍ରୟ ବିକ୍ରୟ ବିଲ୍‌ ମାଧ୍ୟମରେ ସେମାନେ କୋଟି କୋଟି ଟଙ୍କାର ଜାଲ୍‌ ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ହାତେଇଛନ୍ତି। ସେହି ପରିମାଣର ଇନ୍‌ପୁଟ ଟାକ୍ସ ‌କ୍ରେଡିଟ୍‌ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କର ବିପୁଳ ରାଜସ୍ବ କ୍ଷତି କରିଛନ୍ତି।

The post ୧୧୫ କୋଟି ଟଙ୍କାର ଜିଏସ୍‌ଟି ଠକେଇ : ୨ ମାଷ୍ଟରମାଇଣ୍ଡ୍‌ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3re4W6N