
ଖୋର୍ଦ୍ଧା: ରାଜ୍ୟରେ କୋରନା ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଦ୍ୱାଦଶ, ୧୦ମ ଓ ୯ମ ଶ୍ରେଣୀ ଆଦି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ସଂଘ- ଓଷ୍ଟା ପକ୍ଷରୁ ସ୍ୱାଗତ କରାଯାଇଛି। ତେବେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ନେଇ ସେମାନଙ୍କ ପୂର୍ବ ଦାବିକୁ ଦୋହରାଇଛନ୍ତି। ଆଜି ଏନେଇ ଓଷ୍ଟା ପକ୍ଷରୁ ପ୍ରକାଶିତ ଏକ ଲିଖିତ ପ୍ରସ୍ତାବରେ କୁହାଯାଇଛି ଯେ କରୋନା ସଂକ୍ରମଣ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ଅବ୍ୟବସ୍ଥିତ ହୋଇଥିଲା। ସଂକ୍ରମଣ କମିବା ସହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଫେରିବା ଓ ପୂର୍ବ ବ୍ୟବସ୍ଥାନୁସାରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଆରମ୍ଭ କରିବାକୁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ। ଏଭଳି ପରିପ୍ରେକ୍ଷୀରେ ସ୍କୁଲ ଗୁଡ଼ିକରେ ଶିକ୍ଷକ-ଶିକ୍ଷୟତ୍ରୀମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ, ସାନିଟାଇଜ୍, ସାବୁନ, ପାଣି ଆଦିର ବ୍ୟବସ୍ଥା, ମାସ୍କ ଆଦି ବାଧ୍ୟତାମୂଳକ କରିବା ଉପରେ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି।
ତେବେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ପାଇଁ ସରକାରଙ୍କୁ ପୁଣି ଅନୁରୋଧ କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କୁ ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମହାପାତ୍ର, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ସମ୍ପାଦକ ମଧୁସୂଦନ ଦେ, ସହସମ୍ପାଦକ ରମାକାନ୍ତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ କର, ଉପେନ୍ଦ୍ର ଦାସ ପ୍ରମୁଖ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି।
The post ବିଦ୍ୟାଳୟ ଖୋଲିବା ସ୍ୱାଗତଯୋଗ୍ୟ, ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟିକା ଦିଅ; ଓଷ୍ଟା first appeared on Sambad.from ଜିଲ୍ଲା | Sambad https://ift.tt/3wNKvPf
0 Comments