ସୁନ୍ଦରଗଡ଼: ମହାମାରୀ କରୋନା କଟକଣାରେ ଚାଷ ଅଟକି ନଥିଲା। ଖରିଫ ଚାଷ ପାଇଁ ଖରା ସମୟରେ ହିଁ ବିଲକୁ ପ୍ରସ୍ତୁତ କରି ରଖିଥିଲା ସୁନ୍ଦରଗଡ଼ର ଚାଷୀ। ଠିକ୍ ମୌସୁମୀ ଆସିବା ଖବର ଶୁଣିବା କ୍ଷଣି ଧାନ ବୁଣା, ତଳି ପକା କାମ ଆରମ୍ଭ କରି ଦେଇଥିଲା। ବୁଣା ଧାନ ଗଜା ଉଠି କିଆରୀ ସବୁଜ ରଙ୍ଗ ଧରିଲା ବେଳକୁ ଚାଷୀଙ୍କୁ ଦଗା ଦେଇଛି ବର୍ଷା। ଏପଟେ ଜମିରେ ପାଣି ନଥିବାରୁ ତଳିରୁଆ ଆରମ୍ଭ କରିପାରିନି ଚାଷୀ। ଆଷାଢ଼ ମାସ ସରି ଶ୍ରାବଣ ଆସିବ ଆସିବ ହେଲାଣି। କିନ୍ତୁ ଆକାଶରେ କଳାହାଣ୍ଡିଆ ମେଘର ଦେଖାନାହିଁ, ତା’ ବଦଳରେ ଟାଇଁଟାଇଁ ଖରା। କେବେ କେମିତି କଳାମେଘ ଉଠୁଛି, ଏଇ ବର୍ଷିବ ବର୍ଷିବ ହେଉଛି, ଚାଷୀମନ ଉଲ୍ଲସିତ ହେଲା ବେଳକୁ ଗାଏବ। କେବେ ଅସରାଏ, ଦି’ଅସରା ବର୍ଷି ପୁଣି ଦିନ ଦିନ ଧରି ମୁହଁ ଦେଖାଉନି। ସବୁଜ କିଆରୀ ଫାଟି ଆଁ କଲାଣି। ଏସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଜିଲ୍ଲାର ବହୁସ୍ଥାନରେ ଧାନଗଜା, ତଳି ଝାଉଁଳି ପଡ଼ିଥିବା ଦେଖାଯାଇଛି। ଚଳିତ ବର୍ଷ ଜୁଲାଇ ୧୯ ସୁଦ୍ଧା ମାତ୍ର ୭୭.୬୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୩୮୬.୪ ମିଲିମିଟର ସ୍ବାଭାବିକ ବର୍ଷା ଠାରୁ ଏହା ବହୁ ତଳକୁ ରହିଛି। ଗତ ୨୦୨୦ ଏହି ସମୟ ସୁଦ୍ଧା ୧୦୮.୩୩ ମିଲିମିଟର ବର୍ଷା ହୋଇଥିଲା। ଜୁଲାଇ ଶେଷ ବେଳକୁ ତାହା ୧୭୭ ମିଲିମିଟର ହୋଇଥିଲା। ଯାହା ତଳି ରୁଆରେ କିଛି ମାତ୍ରାରେ ସହାୟକ ହୋଇଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୭୭ ମିମି ବର୍ଷା ଚାଷ କାର୍ଯ୍ୟରେ ବାଧକ ହୋଇଥିବା ବେଳେ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତ ବର୍ଷ ସୁନ୍ଦରଗଡ଼ କୃଷି ଜିଲ୍ଲାରେ ୩ ଲକ୍ଷ ୧୩ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେଥିମଧ୍ୟରୁ ଧାନ ଚାଷ ପାଇଁ ୨ ଲକ୍ଷ ୯ ହଜାର ହେକ୍ଟର ଓ ଅଣଧାନ ଚାଷ ପାଇଁ ୧ ଲକ୍ଷ ୪ ହେକ୍ଟର ଜମି ନିଆଯାଇଛି। ସେଥିରୁ ୧ ଲକ୍ଷ ୨୮ ହଜାର ୩୯୪ ହେକ୍ଟର ଜମି ଅଣଜଳସେଚିତ ଥିବା ବେଳେ ମାତ୍ର ୮୦,୬୦୬ ହେକ୍ଟର ଜଳସେଚିତ। ଅନ୍ୟପଟେ ୮ ହଜାର ୨ ଶହ ହେକ୍ଟର ଜମିରେ ମକା ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବାଜରା, ମାଣ୍ଡିଆ, ଗୁଲଜି ପରି କ୍ଷୁଦ୍ର ପୁଷ୍ଟିଶସ୍ୟ ଚାଷ ପାଇଁ ୧୬ ହଜାର ଶହେ ହେକ୍ଟର ଜମିକୁ ନିଆଯାଇଛି। ଡାଲିଜାତୀୟ ଫସଲ ପାଇଁ ୩୬ ହଜାର ୯ ଶହ ହେକ୍ଟର ଜମି ଲକ୍ଷ୍ୟ ଧାର୍ଯ୍ୟରେ ରହିଛି। ତୈଳଜାତୀୟ ଫସଲ ଚାଷ ପାଇଁ ୨୨୯୪୫ ହେକ୍ଟର ଜମି, ତନ୍ତୁଜାତୀୟ ଚାଷ ପାଇଁ ୮୬୦ ହେକ୍ଟର, ପନିପରିବା ପାଇଁ ୨୩୨୯୫ ହେକ୍ଟର, ମସଲା ଜାତୀୟ ଚାଷ ପାଇଁ ୩ ହଜାର ୯ ଶହ ହେକ୍ଟର ଜମି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ଜଳସେଚନ ବ୍ୟବସ୍ଥା ମାତ୍ର କିଛି ଜମିକୁ ପହଞ୍ଚିଥିବା ବେଳେ ବର୍ଷା ଜଳ ହିଁ ଚାଷକୁ ଏକମାତ୍ର ଭରସା। କିନ୍ତୁ ବର୍ଷା ଅଭାବ ଯୋଗୁଁ ଜିଲ୍ଲାର ଚାଷ ଆରମ୍ଭରୁ ଉଜାଡ଼ି ଯିବାକୁ ବସିଛି। ଜୁଲାଇ ଶେଷ ସୁଦ୍ଧା ଭଲ ବର୍ଷା ନହେଲେ ସ୍ଥିତି ସଙ୍ଗୀନ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

The post ଆଷାଢ଼ରେ ବର୍ଷା ଗାଏବ, ଜୁଲାଇରେ ମାତ୍ର ୭୭.୬୧ ମିମି ବର୍ଷା ମରିବାକୁ ବସିଛି ତଳି, ବୁଣା ଧାନ  first appeared on Sambad.

from ଜିଲ୍ଲା | Sambad https://ift.tt/3iyCHeO