ରାଉରକେଲା: ସ୍ମାର୍ଟ ସିଟିରେ ସ୍ବରେଜ କାମର କଚ୍ଛପ ଗତି ସହରବାସୀ ଦହଗଞ୍ଜ କରୁଛି। ତିନି ବର୍ଷର ପ୍ରକଳ୍ପକୁ ସାଢ଼େ ଚାରିବର୍ଷ ବିତିଲାଣି। ୧୮୫ କି.ମି. ପାଇପ ବିଛା କାମରୁ ୧୬୫ କି.ମି. ଶେଷ ହୋଇଛି। ଆହୁରି ୨୦ କି.ମି. ପାଇପ ବିଛା କାମ ବାକି ରହିଛି, ଯାହାକି ପୂରା ପାଇପ୍‌ ଲାଇନ୍‌ର ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ ଅଂଶ। ସେ କାମ କେବେ ସରିବ ବିଭାଗୀୟ ଅଧିକାରୀ ପାଖରେ ସଠିକ୍‌ ଉତ୍ତର ନାହିଁ। ସେମିତି ୨୪,୦୦୦ ଘରକୁ ସ୍ବରେଜ ପାଇପ୍‌ ସଂଯୋଗ କରିବାକୁ ଟାର୍ଗେଟ ରହିଛି। କିନ୍ତୁ ବର୍ଷକ ଭିତରେ ସିଭିଲଟାଉନସିପ୍‌ର ମାତ୍ର ୩୦୦ ଘରକୁ ପାଇପ୍‌ ସଂ‌ଯୋଗ ସମ୍ଭବପର ହୋଇଛି। ଯଦି ୩୦୦ ଘରକୁ ବର୍ଷେ ଲାଗୁଛି, ବାକି ୨୩ ହଜାର ୭୦୦ ଘରକୁ ପାଇପ ସଂଯୋଗ କେତେ ଦିନ ଲାଗିବ ଏଥିରୁ ସ୍ପଷ୍ଟ ଅନୁମେୟ। ଏଥିରୁ ଯାହା ବୁଝାପଡୁଛି ସ୍ମାର୍ଟସିଟିରେ ସ୍ବରେଜ ବ୍ୟବସ୍ଥା ଆଣ୍ଠେଇଛି।

ଭବିଷ୍ୟତରେ ଏହି ୩୪୦ କୋଟିର ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାମ ବିଳମ୍ବରୁ ଠିକା ସଂସ୍ଥା ଠାରୁ ବିଭାଗ ଇଓଟି (ଏକ୍ସଟେସନ୍‌ ଅନ୍‌ ଟାଇମ୍‌)ବାବଦରେ ଖର୍ଚ୍ଚର ୧% କାଟୁଛନ୍ତି ବୋଲି ସଫେଇ ଦେଉଛନ୍ତି। କିନ୍ତୁ ଏହା ଠିକା ସଂସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ସେପଟେ ସ୍ବରେଜ କାମ ଯୋଗୁ ସ୍ମାର୍ଟସିଟି ରାସ୍ତାଘାଟ ବରବାଦ ହେଉଛି। ସହରର ଅନେକ ସ୍ଥାନରେ ରାସ୍ତା ଖୋଳା ହୋଇ ପଡ଼ିଛି। ଅସରାଏ ବର୍ଷା ହେଲେ କଲୋନିଠାରୁ ସହରର ପ୍ରମୁଖ ପ୍ରମୁଖ ରାସ୍ତାର ସ୍ଥିତି ବି ସମ୍ପୂର୍ଣ୍ଣ ଦୟନୀୟ ହୋଇପଡୁଛି। ଏଥିସକାଶେ ସହରର ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କଲୋନିର ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଡ୍ରେନ୍‌ ପୋତି ହୋଇଯାଇଥିବାରୁ ତଳିଆ କଲୋନିରେ ଅଧିକାଂଶ ଘରେ ବର୍ଷା ପାଣି ଲହଡି ମାରୁଛି। ବିଭାଗୀୟ ଅଧିକାରୀ ସବୁ କିଛି ଜାଣୁଛନ୍ତି, କିନ୍ତୁ ନ ଜାଣିଲା ପରି ଚୁପ୍‌ ରହୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଶାସକ ବା ବିରୋଧୀ, କୌଣସି ରାଜନୈତିକ ଦଳର ସ୍ବର ଏ ବାବଦରେ ଶୁଭୁନି।

ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟିର ପରିମଳ ବ୍ୟମସ୍ଥାରେ ସୁଧାର ଆଣିବାକୁ ୨୦୧୭ ଜାନୁଆରି ୯ରେ ସ୍ବରେଜ କାମ ଆରମ୍ଭ ହୋଇଥିଲା। ତିନି ବର୍ଷ, ଅର୍ଥାତ୍‌ ୨୦୨୦ ଜାନୁଆରି ୮ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାସଂସ୍ଥା କାମ ନ ସାରିବାରୁ ୬ ମାସ, ଅର୍ଥାତ୍‌ ୨୦୨୦ ଜୁନ୍‌ ଡେଡ୍‌ ଲାଇନ ଦିଆଯାଇଥିଲା। ତଥାପି ଠିକା ସଂସ୍ଥା କାମ ସାରି ପାରି ନଥିଲା। ତା’ ପରେ ପୁଣି ଆହୁରି ୬ ମାସ, ଅର୍ଥାତ୍‌ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଦୁଇ ଦୁଇଥର ସମୟ ଘୁଞ୍ଚାଯାଇଥିଲେ ହେଁ ଅଦ୍ୟାବଧି ପ୍ରାୟ ୨୨% କାମ ବାକି ରହିଛି। ବାକି ଥିବା କାମ ଭିତରେ ରହିଛି ସେକ୍ଟର-୨୧ ନୟାବଜାର ଅଞ୍ଚଳର ଆର୍‌ଏସ୍‌ପି ଅଞ୍ଚଳର ୯ କି.ମି. ଲାଇନ୍।

ଅନୁମତି ନ ମିଳିବାରୁ ସେଠାରେ କାମ ବନ୍ଦ ରହିଛି। ଝିରପାଣି, କୋଏଲନଗର, ଜଗଦା ଆର୍‌ଏସ୍‌ପି ଜାଗା ହୋଇଥିବାରୁ ଏଠି ମଧ୍ୟ ‌ସେହି ସମାନ ସ୍ଥିତି ଉପୁଜିଛି। ସ୍ବରେଜ ବ୍ୟବସ୍ଥା ଦ୍ବାରା ସହରର ପ୍ରାୟ ୨୪ ହଜାର ଘର ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅଦ୍ୟାବଧି ସିଭିଲଟାଉନସିପ୍‌ର ୧୮୦୦ ଘରରୁ ମାତ୍ର ୩୦୦ ଘରକୁ ପାଇପ୍ ସଂଯୋଗ ହୋଇପାରିଛି। ଅବଶିଷ୍ଟ ଘରକୁ ପାଇପ ସଂ‌ଯୋଗ କାମ ଅତି ମନ୍ଥର ଗତିରେ ଚାଲିଛି। ଛେଣ୍ଡ କଲୋନି, ବାସନ୍ତୀ କଲୋନି, କଳିଙ୍ଗ ବିହାର, କଳିଙ୍ଗ ବିହାର ହାଉସିଂ କଲୋନି, ଡେଲିମାର୍କେଟ, ଉଦିତନଗର, ପାନପୋଷ ଆଦି ସ୍ଥାନରେ ଜଣେ ହେଲେ ଘରକୁ ପାଇପ୍ ସଂଯୋଗ ହୋଇ ପାରିନି। ଉଲ୍ଲେଖନୀୟ ଯେ ବର୍ଜ୍ୟଜଳ ପରିଚାଳନା ପାଇଁ ଆର୍‌ଏମ୍‌ସି ଅଞ୍ଚଳର ପ୍ରଧାନପାଲୀ, ମ୍ୟୁନିସିପାଲ କଲେଜ, ଶିଳ୍ପାଞ୍ଚଳ ଓ ସିଭଲଟାଉସିପ୍‌ରେ ପମ୍ପହାଉସ୍‌ ସ୍ଥାପନ କରାଯାଇଛି। ବାଲୁଘାଟରେ ୪୦ ଏମ୍‌ଏଲ୍‌ଡିର ଏସ୍‌ଟିପି (ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ।

The post ସ୍ମାର୍ଟସିଟିରେ ଆଣ୍ଠେଇଛି ସ୍ବରେଜ ବ୍ୟବସ୍ଥା: ବ୍ୟୟ ଅଟକଳ ୩୪୦ କୋଟି, ସାଢ଼େ ୪ ବର୍ଷ ପରେ ବି ସରୁନି first appeared on Sambad.

from ଜିଲ୍ଲା | Sambad https://ift.tt/2U5h2CQ